ଡଟ୍‌ଫେଷ୍ଟ ପାସ-ଟିକେଟ ଯାଉଛି କୂଆଡେ? ପାସ୍ ସଟେଜ୍‌, ସିଟ୍ ଫାଙ୍କା; ବସ୍ତିରୁ ବୁହାହେଲେ ଦର୍ଶକ

0

ଭୁବନେଶ୍ୱର, (ଓଡ଼ିଶା ଫାଷ୍ଟ): ଓଡ଼ିଶା ହକି ବିଶ୍ୱକପ ସମୟରେ ସିଟିଫେଷ୍ଟ ଆୟୋଜନ ନିଶ୍ଚିତପକ୍ଷେ ରାଜଧାନୀବାସୀଙ୍କୁ ଉତ୍ସାହିତ କରିଛି । ଦେଶ-ବିଶେଷରୁ ନାମୀଦାମୀ କଳାକାରଙ୍କ ଦ୍ୱାରା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଲୋକଙ୍କ ମାନସିକ ଅବସାଦକୁ ଦୂର କରିବାରେ ବେଶ ସହାୟକ ହେଉଛି । ଏହାକୁ ଉପଭୋଗ କରିବାକୁ ସବୁବର୍ଗର ଲୋକଙ୍କ ଅଳ୍ପ ବହୁତେ ଇଚ୍ଛା ରହୁଛି । ଏଥିପାଇଁ ପ୍ରଶାସନ ପକ୍ଷରୁ ଟିକେଟ ବିକ୍ରି କରାଯାଉଥିବା ବେଳେ ବହୁଳ ମାତ୍ରାରେ ପାସ୍ ବ୍ୟବସ୍ଥା କରାଯାଇଛି ।

ପାସ୍ ନେବାକୁ ନେତା, ମନ୍ତ୍ରୀ ଓ ଅଫିସରଙ୍କ ପାଖରେ ନାହିଁ ନଥିବା ଭିଡ ଦେଖିବାକୁ ମିଳୁଛି । ଦିନ ୧୨ ଟା ବେଳକୁ ସବୁ ପାସ୍ ସରିଯାଉଛି । ଅନେକ ଲୋକ ପାସ୍ ପାଇବାରୁ ବଂଚିତ ମଧ୍ୟ ହେଉଛନ୍ତି । ଡଟଫେଷ୍ଟର ଦ୍ୱିତୀୟ ସନ୍ଧ୍ୟାର କାର୍ଯ୍ୟକ୍ରମ ଲାଗି ଦିନ ୧୨ଟାରୁ ସବୁ ପାସ ସରିଯାଇଥିଲା । ଯାହାକୁ ପଚାରିଲେ ତାଙ୍କ ଠାରୁ ପାସ୍ ସରିଯାଇଥିବା ଉତ୍ତର ମିଳୁଥିଲା । ତେବେ ସନ୍ଧ୍ୟାରେ ତଥା କାର୍ଯ୍ୟକ୍ରମ ଆରମ୍ଭ ପରେ ଡଟଫେଷ୍ଟର ଦୃଶ୍ୟ କିନ୍ତୁ ଭିନ୍ନ ଥିଲା ।

ପ୍ରିମିୟମ, ପ୍ଲାଣ୍ଟିନମ, ଗୋଲ୍ଡ ଓ ସିଲଭର ଜୋନ ସବୁ ଫାଙ୍କା ପଡିଥିଲା । ଦର୍ଶକଙ୍କ ଦେଖା ମିଳିନଥିଲା । ଓଡ଼ିଶା କଣ୍ଠଶିଳ୍ପୀ ଦୀପ୍ତିରେଖା ଷ୍ଟେଜକୁ ଆସିବା ବେଳକୁ ମାତ୍ର ହାତଗଣତି ଦର୍ଶକଙ୍କୁ ଦେଖି ସେ ମଧ୍ୟ ଚକିତ ହୋଇଯାଇଥିଲେ । ଏପଟେ ଆୟୋଜନକାରୀଙ୍କ ମୁଣ୍ଡ ମଧ୍ୟ ବିିଗିଡି ଯାଇଥିଲା । ବିନା ଦର୍ଶକରେ କେମିତି କାର୍ଯ୍ୟକ୍ରମ ହେବ, ସେ ନେଇ ପ୍ରଶାସନ ମୁଣ୍ଡକୁ ବିଛା କାମୁଡିଥିଲ । ପରେ ତୁରନ୍ତ ଏକ ଯୋଜନା ପ୍ରସ୍ତୁକ କରି ବିଭିନ୍ନ ଅଞ୍ଚଳରେ ଥିବା ବିଜୁ କଲୋନୀ (ବସ୍ତି)ରୁ ଲୋକଙ୍କୁ ଗାଡିରେ ବୁହାଯାଇ ସିଲଭର ଜୋନକୁ ଫିଲପ କରାଯାଇଥିଲା । ତେବେ କିଛି ସମୟରେ ଯେଉଁ କେତେଜଣ ପାସଧାରୀ ବସିଥିଲେ, ସେମାନେ ମଧ୍ୟ ପଳାଇଯାଇଥିଲେ ।

ତେବେ ଏଠାରେ ପ୍ରଶ୍ନ ଉଠୁଛି, ହଜାର ହଜାର ପାସ ବଣ୍ଟା ହେଉଥିବା ବେଳେ ଦର୍ଶକ ଯାଉଛନ୍ତି କୁଆଡେ? ବଡବଡିଆ ଓ ବଡ ମିଡିଆଙ୍କ ପାଖରେ ଆନୁଗତ୍ୟ ପାଇଁ ପାସ୍ ଦିଆଯାଉଛି କି? ଫଳରେ ସେମାନେ ପାସ ନେଇ କାର୍ଯ୍ୟକ୍ରମ ଦେଖିବାକୁ ଆସୁନାହାଁନ୍ତି । ଯଦି ଏହା ସତ୍ୟ, ତେବେ ଯେଉଁମାନେ ପ୍ରକୃତରେ କାର୍ଯ୍ୟକ୍ରମ ଦେଖିବାକୁ ଆଗ୍ରହୀ ସେମାନଙ୍କୁ ପାସ ଦିଆଯାଉନି କାହିଁକି? ପାସ୍ ବଣ୍ଟାରେ କିଛି ରାଜନୀତି ହେଉଛି କି? ଏଦିଗରେ ଆୟୋଜକମାନେ ଧ୍ୟାନ ନହେଲେ, ଦର୍ଶକ ଅଭାବରୁ ଆଗାମୀ ଦିନରେ ବଡବଡ କଳାକାରମାନେ ଡଟଫେଷ୍ଟକୁ ଆସିବାକୁ ଅମଙ୍ଗ ହେବେ ଏଥିରେ ସନ୍ଦେହ ନାହିଁ ।

Leave a comment