ଯୋଶୀମଠରେ ଚାଲିଲା ବୁଲଡୋଜର

0

ସବୁଦିନ ପରି ମଙ୍ଗଳବାର ମଧ୍ୟ ଉତ୍ତରାଖଣ୍ଡ ଯୋଶୀମଠରେ ସୂର୍ଯ୍ୟଉଦୟ ହୋଇଛି କିନ୍ତୁ ନୂଆ ଦିନ ନୂଆ ଆଶା ଓ ସମ୍ଭାବନା ବଦଳରେ ଦୁଖ ଓ କଷ୍ଟ ଆଣିଛି । ଏହି କଷ୍ଟରେ ମର୍ମାହତ ହୋଇଛନ୍ତି ଯୋଶୀମଠବାସୀ । କାରଣ ଯେଉଁସ୍ଥାନରେ ସେମାନେ ଦୀର୍ଘବର୍ଷ ତଥା ପୀଢିପୀଢି ଧରି ରହିଆସୁଥିଲେ ସେହି ସ୍ଥାନକୁ ଛାଡିଚାଲିଯିବାକୁ ପଡୁଛି ।

କିଛି ଦିନ ହେବ ସହରର ଘର ଦବିବାରେ ଲାଗିଛି । କାନ୍ଥଠୁ ରାସ୍ତା ସବୁ କିଛି ଫାଟି ଆଁ କରିଛି । ଭୟ ଓ ଆତଙ୍କ ଭିତରେ ଲୋକମାନେ ପଳାୟନ କରୁଥିଲେ କିନ୍ତୁ ମଙ୍ଗଳବାର ସ୍ଥାନୀୟ ପ୍ରଶାସନ ସେହି ଘର ଗୁଡିକକୁ ଭାଙ୍ଗୁଛନ୍ତି ଯେଉଁଗୁଡିକ ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି । ପୈତୃକସ୍ଥଳୀ ଛାଡିବା ସମୟରେ କୋହଭରା ଆଖି ଅନେକ କିଛି ବୟାନ କରୁଥିଲା ।

ସ୍ଥାନୀୟ ଲୋକଙ୍କ ସୁରକ୍ଷା ପାଇଁ ସ୍ଥାନୀୟ ପ୍ରଶାସନ ଘର ଓ ହୋଟେଲକୁ ଭାଙ୍ଗୁଛନ୍ତି ସତ କିନ୍ତୁ ଏହା ଭିତରେ ଅନେକ ଅଭିଯୋଗ ମଧ୍ୟ ଉଠିଛି । ହୋଟେଲ ବ୍ୟବସାୟୀ କହୁଛନ୍ତି ବିନା ନୋଟିସରେ ସରକାରଙ୍କ ଏଭଳି ନିଷ୍ପତି ସେମାନଙ୍କ ମାନସିକ ଓ ଆର୍ଥିକସ୍ତରରେ ବଡ ଝଟକା ଦେଇଛି ।

ସୁପ୍ରିମକୋର୍ଟ ଆବେଦନ ଉପରେ ତୁରନ୍ତ ଶୁଣାଣୀ ପାଇଁ ମନା କରିଛନ୍ତି । ଜାନୁଆରୀ ୧୬ରେ ହେବ ପରବର୍ତୀ ଶୁଣାଣୀ । ଯୋଶୀମଠକୁ ଦେଖାଦେଇଥିବା ବିପଦ ନେଇ ଉତରାଖଣ୍ଡ ଜ୍ୟୋତିଷ ପୀଠର ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦ ସରସ୍ୱତୀ ସୁପ୍ରିମକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ କରିଛନ୍ତି । ସମସ୍ୟାର ସମାଧାନ ପାଇଁ ତୁରନ୍ତ ପଦକ୍ଷେପ ନିଆଯିବାକୁ ସେ ଏଥିରେ ଦାବି କରିଛନ୍ତି ।

ଯୋଶୀମଠରେ ଆତଙ୍କ ଜାରିରହିଛି ସେପଟେ ନୈନିତାଲ, କର୍ଣ୍ଣପ୍ରୟାଗ, ଚମ୍ପାବତ ସହ ଅନ୍ୟ କିଛି ସହରରେ ମଧ୍ୟ ସମାନ ସମସ୍ୟା ଦେଖାଦେଇଛି । ରାଜ୍ୟ ଓ କେନ୍ଦ୍ର ସରକାର ସଙ୍କଟର ମୁକାବିଲା ପାଇଁ ପ୍ରସ୍ତୁତି କରିଛନ୍ତି । ତେବେ ପ୍ରଶ୍ନ ଉଠୁଛି ପୂର୍ବରୁ ଏହି ସମସ୍ୟା ଆସିବ ବୋଲି ଅନୁମାନ କରାଯାଇଥିଲା । ବରିଷ୍ଠ ଭୁତ୍ୱବିତ ଓ ବୈଜ୍ଞାନିକ ଘର ଦବିବା, ରାସ୍ତାଫାଟିବା ଓ ଏଭଳି ଅନେକ ସମସ୍ୟା ନେଇ ସତର୍କ ମଧ୍ୟ କରାଇଥିଲେ । ତେବେ କ’ଣ ପାଇଁ ସ୍ଥାନୀୟ ପ୍ରଶାସନ ଏହା ଉପରେ ଧ୍ୟାନ ଦେଇନଥିଲେ । ଯାହା ପାଇଁ ଆଜିରଦିନରେ ଶହ ଶହ ଲୋକକୁ ନିଜ ପୈତୃକସ୍ଥଳୀ ଛାଡି ଯିବାକୁ ପଡିଛି । ଅନେକଙ୍କ ଲୋକ ବିପଦ ଘେରକୁ ଆସିଛି ।

Leave a comment