ଆଜିଠୁ ଆରମ୍ଭ ହେଲା ବିଧାନସଭା, ମଙ୍ଗଳବାର ୧୦ଟା ୩୦ ମିନିଟ ପର୍ଯ୍ୟନ୍ତ ଗୃହ ମୁଲତବୀ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପଞ୍ଚଦଶ ବିଧାନସଭାର ଶେଷ ଅଧିବେଶନ ସୋମବାରଠାରୁ ଆରମ୍ଭ ହୋଇଯାଇଛି । ପ୍ରଥମ ଦିବସରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ରାଜ୍ୟ ସରକାରଙ୍କ ସଫଳତାର ଗାଥା ବଖାଣିଛନ୍ତି । ନିଜ ଅଭିଭାଷଣରେ ରାଜ୍ୟପାଳ କହିଛନ୍ତି, ବିପର୍ଯ୍ୟୟକୁ କିପରି ମୁକାବିଲା କରିବାରେ ଓଡ଼ିଶା ସରକାର ଉଦାହରଣ ସୃଷ୍ଟି କରିଛନ୍ତି । ସେହିପରି ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଓଡ଼ିଶା ଦେଶରେ ନମ୍ବର ଓ୍ବାନ୍ ରାଜ୍ୟରେ ପରିଣତ ହୋଇଛି । ଦାରିଦ୍ର୍ୟ ବହୁ ପରିମାଣରେ ହ୍ରାସ ପାଇଛି । ସ୍ବାସ୍ଥ୍ୟ, ଶିକ୍ଷା, କୃଷି, ଶିଳ୍ପ ଆଦି କ୍ଷେତ୍ରରେ ରାଜ୍ୟ ଯଥେଷ୍ଟ ଉନ୍ନତି କରିଛି ବୋଲି ରାଜ୍ୟପାଳ କହିଛନ୍ତି । ରାଜ୍ୟପାଳଙ୍କ ଅଭିଭାଷଣ ପରେ ଗୃହରେ ଧନ୍ୟବାଦ ପ୍ରସ୍ତାବ ଆଗତ କରାଯାଇଥିଲା । ତେବେ ରାଜ୍ୟପାଳଙ୍କ ଅଭିଭାଷଣକୁ ବିରୋଧ କରି କଂଗ୍ରେସ ସଦସ୍ୟମାନେ ବିଧାନସଭା କକ୍ଷ ଛାଡି ବାହାରକୁ ଚାଲିଯାଇଥିଲେ । ମଧ୍ୟାହ୍ନ ୧ଟା ୨ରୁ ମଙ୍ଗଳବାର ୧୦ଟା ୩୦ ମିନିଟ ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରାଯାଇଛି ।