ବସ୍ ଓ ଏସ୍ୟୁଭି ମୁହିଁମୁହିଁ ଧକ୍କା; ୯ ମୃତ, ୩୦ରୁ ଅଧିକ ଆହତ
ଆଜି ଭୋରୁ ଗୁଜରାଟର ନବସାରୀ ଜିଲ୍ଲାରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା। ବସ୍ ଓ ଏସ୍ୟୁଭି ମଧ୍ୟରେ ମୁହିଁମୁହିଁ ଧକ୍କା ହେବା ଫଳରେ ୯ ଜଣ ଲୋକଙ୍କ ଜୀବନ ଯାଇଥିବା ବେଳେ ୩୦ରୁ ଅଧିକ ଆହତ ହୋଇଥିବା ଜଣାପଡିଛି। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଏସ୍ୟୁଭିଟି ସଂପୂର୍ଣ୍ଣ ଚୂରମାର ହୋଇଯାଇଛି। ଆହତ ଲୋକମାନଙ୍କ ମଧ୍ୟରୁ ୧୦ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା କଥା କୁହାଯାଉଛି।
ଘଟଣାସ୍ଥଳରୁ ୯ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇ ବ୍ୟବଚ୍ଛେଦ ପାଇଁ ପଠାଯାଇଛି।
ମିଳିଥିବା ସୂଚାନା ଅନୁସାରେ ସୁରତରେ ଅନୁଷ୍ଠିତ ‘ପ୍ରମୁଖ ସ୍ବାମୀ ମହାରାଜ ଶତାବ୍ଦୀ ମହୋତ୍ସବ’ କାର୍ଯ୍ୟକ୍ରମରୁ ଲୋକ ନେଇ ଗୋଟାଏ ବସ୍ ଫେରୁଥିଲା। ନବସାରୀ ଜିଲ୍ଲା ଦେଇ ପଡ଼ିଥିବା ୪୮ ନମ୍ବର ଜାତୀୟ ରାଜପଥରେ ଡ୍ରାଇଭର୍ଙ୍କର ହୃଦ୍ଘାତ ହେବାରୁ ସେ ବସ୍ ଉପରୁ ନିୟନ୍ତ୍ରଣ ହରାଇଲେ ଏବଂ ବସ୍ଟି ସେ ରାସ୍ତାରେ ଆସୁଥିବା ଏକ ‘ଏସ୍ୟୁଭି’ କାର୍ ସହିତ ଧକ୍କା ଖାଇଥିଲା। ଚିକିତ୍ସା ନିମନ୍ତେ ବସ୍ ଡ୍ରାଇଭର୍ଙ୍କୁ ଡାକ୍ତରଖାନା ନିଆଯାଇଥିଲା, କିନ୍ତୁ ସେଠାରେ ତାଙ୍କର ମୃତ୍ୟୁ ଘଟିଲା।
ଧକ୍କା ଯୋଗୁଁ କାର୍ରେ ଥିବା ୯ଜଣଙ୍କ ମଧ୍ୟରୁ ୮ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ବସ୍ଯାତ୍ରୀଙ୍କ ମଧ୍ୟରୁ ୩୦ରୁ ଅଧିକ ଆହତ ହୋଇଛନ୍ତି। ନବସାରୀ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍ ଋଷିକେଶ ଉପାଧ୍ୟାୟ କହିଛନ୍ତି, ‘ଏସ୍ୟୁଭି’ଟି ବିପରୀତ ଦିଗରୁ ଆସୁଥିବା ବେଳେ ବେସ୍ମା ଗାଁ ନିକଟରେ ଦୁର୍ଘଟଣା ଘଟିଛି। ‘ଏସ୍ୟୁଭି’ର ଯାତ୍ରୀମାନେ ହେଉଛନ୍ତି ଗୁଜରାଟ ଅଳଙ୍କେଶ୍ବରର ବାସିନ୍ଦା ଓ ସେମାନେ ସେମାନଙ୍କର ନିଜ ବାସସ୍ଥାନ ବାଲ୍ସାଡ଼କୁ ଫେରୁଥିଲେ । ବସ୍ର ଯାତ୍ରୀମାନେ ବାଲ୍ସାଡ଼ରୁ ଫେରୁଥିଲେ। ଦୁର୍ଘଟଣା ଯୋଗୁଁ ରାଜପଥରେ ଯାନବାହନ ଚଳାଚଳରେ ବ୍ୟାଘାତ ଘଟିଥିଲା।