୨୨ରେ ବାଲେଶ୍ବର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ

0

ବାଲେଶ୍ବର ବିକାଶରେ ଯୋଡ଼ିହେବ ନୂଆ ଅଧ୍ୟାୟ । ଆସନ୍ତା ୨୨ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାଲେଶ୍ବର ଗସ୍ତରେ ଆସି ୧ ହଜାର କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପ ଉଦ୍‌ଘାଟନ କରିବା ସହିତ ଭିତ୍ତି ପ୍ରସ୍ଥର ସ୍ଥାପନ କରିବେ ।

ଏନେଇ ପ୍ରଶାସନିକ ସ୍ତରରେ ପ୍ରସ୍ତୁତି ଯୋରଦାର କରାଯାଇଛି । ଆଜି ଜିଲ୍ଲାପାଳଙ୍କ ସହିତ ମନ୍ତ୍ରୀ ପ୍ରତାପ ଦେବ ପୋଲିସ ଲାଇନ୍‌ ପଡ଼ିଆ ସଭାସ୍ଥଳକୁ ବୁଲି ଦେଖିବା ସହିତ ସ୍ଥିତିର ସମୀକ୍ଷା କରିଛନ୍ତି ।

ସେପଟେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ବେଶ୍‌ ଉତ୍ସାହିତ ସ୍ଥାନୀୟ ଲୋକେ । ଜିଲ୍ଲାର ୧୨ଟି ବ୍ଲକ୍ ସମେତ ବାଲେଶ୍ବର, ସୋର, ଜଳେଶ୍ବର ମ୍ୟୁନିସିପାଲିଟି ଓ ରେମୁଣା, ନୀଳଗିରି ଏନ୍‌ଏସିର ମୋଟ ୩୬୪ କୋଟି ୬୧ଲକ୍ଷ ଟଙ୍କାର ୫୭ ପ୍ରକଳ୍ପକୁ ଲୋକର୍ପିତ କରିବେ । ସେହିପରି ୧ହଜାର ୪୨ କୋଟି ୬୯ ଲକ୍ଷ ଟଙ୍କାର ୧୦୪ଟି ପ୍ରକଳ୍ପର ଭିତ୍ତି ପ୍ରସ୍ଥର ସ୍ଥାପନ କରିବେ ।

ସେଗୁଡିକ ମଧ୍ୟରେ ରହିଛି ସୋମନାଥପୁର ରେଳ ବ୍ରିଜ୍‌, ହଳଦୀପଦା ଠାରୁ ଦୀଘା ପର୍ଯ୍ୟନ୍ତ ଆନ୍ତଃରାଜ୍ୟ ସଡ଼କ, ହରଗଙ୍ଗା ପୋଖରୀ ନବୀକରଣ, ସୂବର୍ଣ୍ଣରେଖା ନଦୀ ଉପରେ ପୋଲ, ଚାନ୍ଦିପୁର ପାଇଁ ସ୍ବତନ୍ତ୍ର ବିଦ୍ୟୁତ୍‌ ଗ୍ରିଡ଼ ଷ୍ଟେସନ୍‌ ଭଳି ଅନେକ ପ୍ରକଳ୍ପ । ମୁଖ୍ୟନ୍ତ୍ରୀଙ୍କ ଗସ୍ତକୁ ନେଇ ପୋଲିସ ଲାଇନ୍‌ ପଡ଼ିଆରେ ହେଲିପ୍ୟାଡ଼ ନିର୍ମାଣ ସହିତ ୧୫ ହଜାରରୁ ଅଧିକ ଲୋକଙ୍କ ବସିବା ପାଇଁ ସ୍ବତନ୍ତ୍ର ଟେଣ୍ଟ ପ୍ରସ୍ତୁତ କରାଯାଇଛି ।

୧୨ଟି ବ୍ଲକ୍‌ରୁ ଆସିବାକୁ ଥିବା ଲୋକ ମାନଙ୍କ ପାଇଁ ଟ୍ରାଫିକ୍‌ ବ୍ୟବସ୍ଥାକୁ ବ୍ୟବସ୍ଥିତ କରାଯାଇଛି । ଟେକ୍‌ନିକାଲ ଫିଲଡ, ଫକୀର ମୋହନ କଲେଜ ପଡ଼ିଆ, ଆଇଟିଆଇ ପଡ଼ିଆ ଭଳି ୫ଟି ପଡ଼ିଆରେ ଗାଡ଼ି ପାର୍କିଂ ପାଇଁ ସୁବିଧା କରାଯାଇଛି । ଜିଲ୍ଲା ପୋଲିସ ତରଫରୁ ଏସ୍‌ପିଙ୍କ ନେତୃତ୍ବରେ ୨ଜଣ ଅତିରିକ୍ତ ଏସ୍‌ପି, ୬ଜଣ ଡ଼ିଏସ୍‌ପି, ୧୧ ଜଣ ଇନ୍ସପେକ୍ଟରଙ୍କ ସହିତ ଫୋର୍ସ ମୁତୟନ କରାଯିବ ।

Leave a comment