ହେଲିକାପ୍ଟର ଦୁର୍ଘଟଣାଗ୍ରସ୍ତ; ୫ ମୃତ
ଦକ୍ଷିଣ କୋରିଆର ୟାଙ୍ଗୟାଙ୍ଗରେ ରବିବାର ଏକ ହେଲିକାପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୫ ଜଣଙ୍କ ମୃତ୍ୟୁ ଘଟିଛି। ହେଲିକାପ୍ଟରଟି ୟାଙ୍ଗୟାଙ୍ଗର ବୁଦ୍ଧ ମନ୍ଦିର ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି। ଫଳରେ ଏଥିରେ ଥିବା ୫ ଜଣ ଯାତ୍ରୀ ଘଟଣାସ୍ଥଳରେ ପ୍ରାଣ ହରାଇଛନ୍ତି। ରିପୋର୍ଟ ମୁତାବକ, ମୃତକମାନଙ୍କୁ ଚିହ୍ନଟ କରାଯିବା ପ୍ରକ୍ରିୟା ଜାରି ରହିଛି।
ଅଧିକାରୀମାନେ ପ୍ରଥମେ କେବଳ ଦୁଇ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ନେଇ ଅବଗତ ଥିଲେ। ପରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ନିଶ୍ଚିତ କରିଥିଲେ।
ଅଧିକାରୀମାନେ କହିଛନ୍ତି କି, ୟାଙ୍ଗୟାଙ୍ଗ, ସୋକ୍ଚୋ ଏବଂ ଗୋସିୟୋଙ୍ଗର ସ୍ଥାନୀୟ ସରକାରଙ୍କ ଦ୍ୱାରା ଲିଜ୍ରେ ନିଆଯାଇଥିବା ଏକ S-58T ହେଲିକାପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ହେଲିକାପ୍ଟରଟି ଜଙ୍ଗଲ ନିଅାଁର ସର୍ଭେକ୍ଷଣ କରିବା ସମୟରେ ସକାଳ ପ୍ରାୟ ୧୦ଟା ୫୦ରେ ଏକ ପାହାଡ ଉପରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।
ଅଧିକାରୀଙ୍କ ମୁତାବକ, ଆମେରିକୀୟ ନିର୍ମାତା ସିକୋରସ୍କିଙ୍କ ଦ୍ୱାରା ନିର୍ମିତ ଏହି ହେଲିକାପ୍ଟର ଖଣ୍ଡ ଖଣ୍ଡ ହୋଇଯାଇଥିଲା ଏବଂ ନିଆଁ ଲାଗି ଫାଟି ଯାଇଥିଲା। କିନ୍ତୁ ନିଆଁ ବିସ୍ତାର ହେବାର ସମ୍ଭାବନା ନାହିଁ, କାରଣ, ଏହାକୁ ପ୍ରାୟତଃ ଲିଭାଇ ଦିଆଯାଇଛି।
ଅଗ୍ନିଶମ ଅଧିକାରୀଙ୍କ କହିବା ଅନୁସାରେ, ଏହି ଦୁର୍ଘଟଣାରେ ଦୁଇଜଣ ଯାତ୍ରୀଙ୍କର ହେଲିକାପ୍ଟର ଭିତରେ ହିଁ ମୃତ୍ୟୁ ଘଟିଥିଲା, କିନ୍ତୁ ସେମାନଙ୍କ ନିକଟରେ ପହଞ୍ଚିବା କଷ୍ଟକର ଥିଲା। କାହିଁକି ନା, ନିଆଁ ଲିଭାଯାଉଥିବାରୁ ବିସ୍ଫୋରଣ ହେବାର ଆଶଙ୍କା ରହିଥିଲା। ଅଗ୍ନିଶମ ଅଧିକାରୀମାନେ ଘଟଣାସ୍ଥଳରେ ୧୧୪ କର୍ମୀଙ୍କୁ ନିୟୋଜିତ କରିଛନ୍ତି। ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ପ୍ରାୟତଃ ସରିଯାଇଛି। ଏ ପର୍ଯ୍ୟନ୍ତ ୫ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ଦିଆଯାଇଛି।