ଏଣିକି ଜଣେ ମହିଳା ଏକାଧିକ ଏସ୍ଏଚ୍ଜିରେ ରହିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ
କୌଣସି ମହିଳା ଯଦି ଏକରୁ ଅଧିକ ସ୍ୱୟଂ ସହାୟିକା ଗୋଷ୍ଠୀ (ଏସ୍ଏଚ୍ଜି)ରେ ଥିବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ । ଏମିତି ସୂଚନା ମିଳିଲେ ତୁରନ୍ତ ତାଙ୍କ ବିରୁଦ୍ଧରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ । ଏନେଇ ବିଧାନସଭାରେ ମିଶନ ଶକ୍ତି ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ୍ ସୂଚନା ଦେଇଛନ୍ତି ।
ବିଜେପି ବିଧାୟିକା କୁସୁମ ଟେଟେଙ୍କ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଲେ, ରାଜ୍ୟରେ ଏବେ ୬,୦୨,୦୧୩ ସ୍ୱୟଂ ସହାୟିକା ଗୋଷ୍ଠୀ ରହିଛି । ଏଥିରେ ୭୦ଲକ୍ଷ ୧୦ ଜଣ ମହିଳା ସଦସ୍ୟ ସଦସ୍ୟା ରହିଛନ୍ତି । କୌଣସି ମହିଳା ଏକାଧିକ ଗୋଷ୍ଠୀରେ ଥିବା ସୂଚନା ମିଳିଲେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ।
ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ଗଞ୍ଜାମରେ ସର୍ବାଧିକ ୪୧,୨୦୧ ଟି ଏସ୍ଏଚ୍ଜିରେ ୪ ଲକ୍ଷ ୨୮ ହଜାର ୮୫୯ ଜଣ ମହିଳା ସଦସ୍ୟା ରହିଛନ୍ତି । ଏହା ପଛକୁ ମୟୁରଭଞ୍ଜରେ ୩୯,୧୮୪ ଟି ଏସ୍ଏଚ୍ଜି ଥିବାବେଳେ କଟକରେ ୩୨,୬୪୧, ପୁରୀରେ ୩୧,୦୮୮, ସୁନ୍ଦରଗଡରେ ୨୭,୬୮୭, କେନ୍ଦୁଝରରେ ୨୬,୨୪୦ଟି ଏସ୍ଏଚ୍ଜି ରହିଛି । ସବୁଠାରୁ କମ୍ ମାତ୍ର ୫୫୧୮ ଏସ୍ଏଚ୍ଜି ବୌଦ୍ଧ ଜିଲ୍ଲାରେ ରହିଛି ।