ରାଜଧାନୀରେ ରାତିରେ ବ୍ଲାଙ୍କ ଫାଇରିଂ ସହ ଧାରୁଆ ଅସ୍ତ୍ରରେ ଆକ୍ରମଣ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଅନେକ ଦିନ ପରେ ପୁଣି ରାଜଧାନୀରେ ଫୁଟିଛି ଗୁଳି । ଗତକାଲି ବିଳମ୍ବିତ ରାତିରେ ହୋଇଥିଲା ବ୍ଲାଙ୍କ ଫାଇରିଂ ଓ ପରେ ଧାରୁଆ ଅସ୍ତ୍ର ଆକ୍ରମଣରେ ମାନସ ମଲ୍ଲିକ ନାମକ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି ।
ସୂଚନା ଅନୁଯାୟୀ, ଗତକାଲି ରାତି ଗୋଟାଏରେ ମାନସ ଓ ଅନ୍ୟ ଜଣ ଯୁବକ କାର ରେ ଯାଉଥିଲେ । ବମିଖାଲ ଦୁର୍ଗା ମଣ୍ଡପ ନିକଟରେ ଗାଡି ବୁଲାଇବା ବେଳେ ଦୁଇଜଣ ବାଇକ ଆରୋହିଙ୍କ ସହ ସେମାନଙ୍କ ବଚସା ହୋଇଥିଲା । ତାପରେ ଆରମ୍ଭ ହୋଇଥିଲା ଗାଡି ଚାଳକ ଉପରକୁ ଅତର୍କିତ ଭାବେ ଆକ୍ରମଣ । ଏହି ସମୟରେ କିଛି ଦୁର୍ବୁତ୍ତ ଆସି ତାଙ୍କ କାର କାଚ ଭାଙ୍ଗି ଧାରୁଆ ଅସ୍ତ୍ର ରେ ସେମାନଙ୍କୁ ଆକ୍ରମଣ କରିଥିଲେ । ଏଥିରେ ଜଣଙ୍କ ପିଠିରେ ଗଭୀର କ୍ଷତ ସୃଷ୍ଟି ହୋଇଛି । ଘଟଣା ସମ୍ପର୍କରେ ଖବର ପାଇ ଲକ୍ଷ୍ମୀସାଗର ଥାନା ପୋଲିସ ଆହତଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲା । ପିଠିରେ କ୍ଷତ ହୋଇଥିବା ଯୁବକର ଅବସ୍ଥା ଗୁରୁତର ଥିବା ଜଣାପଡିଛି । ପୋଲିସ କାରକୁ ଜବତ କରି ଆଖପାଖ ଅଞ୍ଚଳରେ ଥିବା ସିସି ଟିଭି ଯାଞ୍ଚ କରିବା ସହ ଅଧିକ ତଦନ୍ତ ଚଳାଇଛି ।