ବିନାଶ ପଥରେ ଓଡ଼ିଶା କଂଗ୍ରେସ, ସତ୍ୟ ନାୟକଙ୍କ କଂଗ୍ରେସ ସମସ୍ତ ଦାୟିତ୍ୱରୁ ଇସ୍ତଫା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବିନାଶ ପଥରେ ଓଡ଼ିଶା କଂଗ୍ରେସ । ଏହା ଏବେ ସମସ୍ତ ସତ୍ୟ ପ୍ରେମୀ କହୁଛନ୍ତି । ସତ୍ୟ ପ୍ରେମୀ ଅର୍ଥାତ ନିର୍ଭୀକ ବରିଷ୍ଠ ସାମ୍ବାଦିକ ସତ୍ୟ ପ୍ରକାଶ ନାୟକଙ୍କ ଫ୍ୟାନ । ସତ୍ୟପ୍ରକାଶ ନାୟକ ନିଜ ଶାଣିତ ପ୍ରଶ୍ନ ବାଣରେ ଶାସକ ଦଳକୁ ଘାଇଲା କରୁଥିବା ବେଳେ ଆଜି ସେ ହୀନ ରାଜନୀତିର ଶିକାର ହୋଇଥିବା ଚର୍ଚ୍ଚା ହେଉଛି । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ନେତା ସତ୍ୟ ପ୍ରକାଶ ନାୟକ ପିସିସି ସାଧାରଣ ସମ୍ପାଦକ ପଦବୀ ସହ ଦଳର ମିଡିଆ ସେଲ୍ ଆବାହକ ଦାୟିତ୍ୱ ରୁ ଇସ୍ତଫା ପ୍ରଦାନ କରିଥିବା ପ୍ରକାଶ କରିଛନ୍ତି । ସେ ତାଙ୍କ ଇସ୍ତଫାପତ୍ର ପିସିସି ସଭାପତି ଶରତ ପଟ୍ଟନାୟକ ଏବଂ ପ୍ରଭାରୀ ଡ. ଚେଲ୍ଲା କୁମାରଙ୍କୁ ପାଖକୁ ପଠାଇ ଥିବା କହିଛନ୍ତି ।

ଅନେକ ରାଜନୈତିକ ବିଶେଷଜ୍ଞ ମତରେ ରାଜ୍ୟ କଂଗ୍ରେସର ଅବସ୍ଥା ଦିନକୁ ଦିନ ଶୋଚନୀୟ ହେବାରେ ଲାଗିଛି । ଏହି ସମୟରେ ଦଳ ନିଜ ସ୍ଥିତି ସୁଧାରିବାକୁ ଚେଷ୍ଟା କରିବା ବଦଳରେ ପିସିସି ସଭାପତି ଏହାର ମଜଭୁତ ସ୍ତମ୍ବକୁ ଭାଙ୍ଗିବାରେ ଲାଗିଛନ୍ତି । ବର୍ତ୍ତମାନ ରାଜ୍ୟ କଂଗ୍ରେସ ଦଳରେ ହାତଗଣତି କିଛି ନେତା ଥିବାବେଳେ ସତ୍ୟ ପ୍ରକାଶ ଙ୍କ ଦଳୀୟ ଦାୟିତ୍ୱରୁ ଇସ୍ତଫା ଦେବା ଆଦୌ ଶୁଭଙ୍କର ନୁହେଁ ବୋଲି ମତପ୍ରକାଶ କରିଛନ୍ତି

ସୂଚନା ଅନୁଯାୟୀ, ଭାରତୀୟ ଜାତୀୟ କଂଗ୍ରେସର ଅଧ୍ୟକ୍ଷ ନିର୍ବାଚନ ଗତକାଲି ଅନୁଷ୍ଠିତ ହୋଇଥିଲା । ଏଥିରେ ଅଂଶଗ୍ରହଣ କରିବା ପାଇଁ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ସଦସ୍ୟମାନଙ୍କର ଏକ ତାଲିକା ପ୍ରସ୍ତୁତ ହୋଇଥିଲା । ଏଥିରେ ୪୨୭ ଜଣ ସ୍ଥାନ ପାଇଥିଲେ । କଂଗ୍ରେସ କାର୍ଯ୍ୟରେ ଅବଦାନ ଓ ଉପଯୋଗିତା ଏହି ସଦସ୍ୟମାନଙ୍କ ପାଇଁ ମାପକାଠି ଥିଲା । ମାତ୍ର ଏହି ତାଲିକାରେ ତାଙ୍କ ନାଁ ନ ଥିଲା । ସତ୍ୟ ପ୍ରକାଶ ଏକାସାଙ୍ଗରେ ପ୍ରଦେଶ କଂଗ୍ରେସ କମିଟିର ସାଧାରଣ ସମ୍ପାଦକ, ମିଡିଆ ସେଲ୍ ଆବାହକ ଏବଂ ପୁରୀ ଲୋକସଭା ନିର୍ବାଚନମଣ୍ଡଳୀ ନେତା ହୋଇଥିବା ସତ୍ତ୍ୱେ ପିସିସି ସଦସ୍ୟ ତାଲିକାରେ ତାଙ୍କ ନାଁ ରଖାଯାଇ ନ ଥିବାରୁ ମତଦାନ କରିପାରି ନ ଥିଲେ । ତାଙ୍କର ଅବଦାନ ଓ ଅଭିଜ୍ଞତା ଦଳ ପାଇଁ ଆବଶ୍ୟକ ନ ଥିବା ସେ ଅନୁଭବ କରି ଉଭୟ ପଦବୀରୁ ଇସ୍ତଫା ଦେଇଥିବା ସେ କହିଛନ୍ତି । ତେବେ ସେ କଂଗ୍ରେସ ଦଳ ଛାଡ଼ି ନ ଥିବା ସ୍ପଷ୍ଟ କରିବା ସହ କଂଗ୍ରେସରେ ସେ ଭଲ ଭାବରେ ଅଛନ୍ତି ବୋଲି କହିଛନ୍ତି ।

Leave a comment