ବିହନ ଅଭାବ ନେଇ ଗୃହରେ ଉତ୍ତର ରଖିଲେ କୃଷି ମନ୍ତ୍ରୀ
ବିହନ ଅଭାବ ନେଇ ଗୃହରେ ବିରୋଧୀ ବାରମ୍ବାର ଅଭିଯୋଗ କରିବା ନେଇ ଉତ୍ତର ରଖିଲେ କୃଷି ମନ୍ତ୍ରୀ। ୧୦୦୯ ପୁରଣା ଧାନ ବିହନ ନ ମିଳିବା ନେଇ ପ୍ରଶ୍ନ ଉଠାଇଥିଲେ କଂଗ୍ରେସ ବିଧାୟକ ସୁର ରାଉତରାୟ । ସରକାର ଯୋଗାଉଥିବା ବିହନ ଗଜା ହେଉନଥିବା ଅଭିଯୋଗ ଆଣିଥିଲେ ବିରୋଧୀ । କୃଷି ମନ୍ତ୍ରୀ କହିଛନ୍ତି, ୨୦୨୨-୨୩ରେ ୩୩ ଲକ୍ଷ ୧୯ ହଜାର ୩୯୦ ହେକ୍ଟର ଜମିରେ ଧାନ ଚାଷ କରିବାକୁ ଲକ୍ଷ୍ୟ ରଖିଛନ୍ତି ।
ସେଥିପାଇଁ ୧୩ ଲକ୍ଷ ୨୭ ହାଜର ୭୬୦ କୁଇଣ୍ଟାଲ ବିହନ ଆବଶ୍ୟକ ରହିଛି । ସେଥିରୁ ୪ ଲକ୍ଷ ୭୫ ହଜାର ୨୪୪ କୁଇଣ୍ଟାଲ ବିହନ ବିଭିନ୍ନ ରାଜ୍ୟରୁ ଆଣି ଚାଷୀଙ୍କୁ ଯୋଗାଇଛନ୍ତି । ରାଜ୍ୟରେ ବିହନ ଉତ୍ପାଦନ ପାଇଁ ୫୨୦୦ ଚାଷୀ ନିୟୋଜିତ କରିଛନ୍ତି ।
ଭାରତ ସରକାରଙ୍କ ସିଡ୍ ନିୟମ ଅନୁସାରର ୧୦ ବର୍ଷରେ ଥରେ ବିହନ ପରିବର୍ତ୍ତନ ହୋଇଥାଏ । ସେଥିପାଇଁ ପୁରୁଣା ବିହନ ସରକାରଙ୍କ ପାଖରେ ନାହିଁ । ବର୍ତ୍ତମାନ ସୁଦ୍ଧା ୭୫ଟି ନୂଆ ବିହନ ସରକାର ଯୋଗାଉଛନ୍ତି । ବର୍ତ୍ତମାନ ୨୨ଟି ବେସରକାରୀ ସଂସ୍ଥା ବିହନ ଯୋଗାଉଥିବା ବେଳେ ୯୦ଟି ବେସରକାରୀ ସଂସ୍ଥା ସହ ରାଜ୍ୟ ବିହନ ନିଗମ ଚୁକ୍ତି କରିଛନ୍ତି । ଯେଉଁଠି ଗଜା ମରୁଡି ହୋଇଛି, ଅଭିଯୋଗ ଆସିଲେ ସରକାର ତୁରନ୍ତ ଫିଲଡ଼ ଭିଜିଟ କରି ପଦକ୍ଷେପ ନେବେ ବୋଲି କହିଛନ୍ତି କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ।