ଭାରତ ବନ୍ଦ: ୨ ଦିନ ଘୁଞ୍ଚିଲା ସମସ୍ତ ପରୀକ୍ଷା

ଭୁବନେଶ୍ୱର : ଆଜି ଓ ଆସନ୍ତା କାଲି ୧୨ ଦଫା ଦାବି ନେଇ କେନ୍ଦ୍ରୀୟ ଟ୍ରେଡ ୟୁନିୟନ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି। ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଲାଣି ବନ୍ଦର ପ୍ରଭାବ । ଆନ୍ଦୋଳନକାରୀ ବିଭିନ୍ନ ରାଜପଥ ସମେତ ରେଳ ଲାଇନ୍କୁ ବି ଅବରୋଧ କରିଥିବା ବେଳେ ଯାତାୟତ ବାଧାପ୍ରାପ୍ତ ହେଉଛି। ଏହାକୁ ଆଖି ଆଗରେ ରଖି ବିଭିନ୍ନ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଦୁଇ ଦିନ ପାଇଁ ପରୀକ୍ଷାକୁ ଘୁଞ୍ଚାଇ ଦେଇଛନ୍ତି ।
ଆଜି ଏବଂ ଆସନ୍ତାକାଲି ରମାଦେବୀ ବିଶ୍ୱବିଦ୍ୟାଳୟ ଓ ଉତ୍କଳ ବିଶ୍ୱବିଦ୍ୟାଳୟ ଅଧୀନରେ ହେବାକୁ ଥିବା ସମସ୍ତ ପରୀକ୍ଷାକୁ ଘୁଞ୍ଚାଇଛନ୍ତି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ । ପରବର୍ତ୍ତୀ ସମୟରେ ନୂତନ ତାରିଖ ଘୋଷଣା କରାଯିବ । ସେହିପରି ଆଜି ରେଭେନ୍ସା ବିଶ୍ୱବିଦ୍ୟାଳୟର ସମସ୍ତ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି। ଭାରତ ବନ୍ଦ ଡାକରା ଦୃଷ୍ଟିରୁ ପରୀକ୍ଷା ସ୍ଥଗିତ ପାଇଁ ନୋଟିସ୍ ଜାରି କରିଛନ୍ତି କର୍ତ୍ତୃପକ୍ଷ । ଆଜି ହେବାକୁ ଥିବା ପରୀକ୍ଷା ପାଇଁ ପରବର୍ତ୍ତୀ ପର୍ଯ୍ୟାୟରେ ସମୟ ଧାର୍ଯ୍ୟ କରାଯିବ । ସେହିପରି ସମ୍ବଲପୁର ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ମଧ୍ୟ ସମସ୍ତ ପରୀକ୍ଷାକୁ ଘୁଞ୍ଚାଇ ଦେଇଥିବା ସୂଚନା ମିଳିଛି।