ବିଜେଡି ପ୍ରାର୍ଥୀଙ୍କୁ ଆକ୍ରମଣ କଲେ ବିଜେଡି ଅସନ୍ତୁଷ୍ଟ ଆଶାୟୀ !!

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ମାହୋଲ ଏବେ ପୁରା ସରଗରମ । ନିର୍ବାଚନରେ ନିଜ ଭାଗ୍ୟ ପରୀକ୍ଷା କରୁଥିବା ପ୍ରାର୍ଥୀ ଜିତିବାକୁ ପୁରା ଦମ ଲଗାଇଦେଇଛନ୍ତି । ଏମିତିକି ନିଜ ଦବଦବା ଜାହିର କରିବାକୁ ହିଂସାକାଣ୍ଡ ଘଟାଇବାକୁ ମଧ୍ୟ ପଛାଉ ନାହାନ୍ତି । ରାଜ୍ୟରେ ତିନି ପ୍ରମୁଖ ଦଳ ବିଜେଡି- ବିଜେପି- କଂଗ୍ରେସ , ଥିଲେ ମଧ୍ୟ କଂଗ୍ରେସ ନିଜ ସତ୍ତା ହରାଇଲାଣି । ତେଣୁ ନିର୍ବାଚନ ମଇଦାନରେ ବିଜେପି-ବିଜେଡି ମଧ୍ୟରେ ହେଉଛି ଜୋରଦାର ଟକ୍କର ।
ଆଉ ସବୁଠାରୁ ବଡ଼ କଥା ହେଲା ଏବେ ବିଜେଡିରେ ଆଶାୟୀ ପ୍ରାର୍ଥୀଙ୍କ ସଂଖ୍ୟା ଖୁବ ଅଧିକ ଥିଲା । ଟିକଟ ନପାଇଥିବା ଅସନ୍ତୁଷ୍ଟଙ୍କ ସଂଖ୍ୟା ମଧ୍ୟ ବଢ଼ିଛି । ଯାହାକି ଦଳୀୟ କନ୍ଦଳର ରୂପ ନେଉଛି । ଧିରେ ଧିରେ ଏହା ଦଳ ଭିତରେ କ୍ୟାନ୍ସର ଭଳି ମାଡ଼ିବାରେ ଲାଗିଛି ।
ଠିକ୍ ଏମିତି କିଛି ଘଟଣା ଘଟିଛି ଭଦ୍ରକ ଜିଲ୍ଲାରେ । ଯାହାକୁ ଦଳୀୟ କନ୍ଦଳ ବ୍ୟତୀତ ଅନ୍ୟ କିଛି କୁହାଯାଇ ନପାରେ । ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କୁ ଆକ୍ରମଣ ଅଭିଯୋଗ ପ୍ରତିବାଦରେ ଭଦ୍ରକ ଯାଜପୁରରେ ଜାତୀୟ ରାଜପଥକୁ ସ୍ଥାନୀୟ ବାସିନ୍ଦାଙ୍କ ଅବରୋଧ । ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ଖାନନଗର ପଞ୍ଚାୟତରେ ୬ ନମ୍ବର ଜୋନ୍ ବିଜେଡି ଜିଲ୍ଲା ପରିଷଦ ପ୍ରାର୍ଥୀ ମାମିନା ମଲ୍ଲିକଙ୍କୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ଜିଲ୍ଲା ବିଜେଡି ଯୁବ ସମ୍ପାଦକ ବିରଜା ମଲ୍ଲିକ ତାଙ୍କୁ ଆକ୍ରମଣ କରିଥିବା ନେଇ ମାମିନା ମଲ୍ଲିକ ମଙ୍ଗଳପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।
ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଦେଖାଦେଇଛି । ପଞ୍ଚାୟତବାସୀ ଭଦ୍ରକ ଯାଜପୁର ରାସ୍ତାର କଲାଗୟାଁରେ ୨୦ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିରଖିଛନ୍ତି । ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି । ସେପଟେ ଆକ୍ରମଣ କରିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ଯାଜପୁର ଜିଲ୍ଲା ଯୁବ ବିଜେଡି ସମ୍ପାଦକ ବିରଜା ମଲ୍ଲିକ ।