ମମିତା ମେହେରଙ୍କ ପ୍ରସଙ୍ଗରେ ନବୀନ ନିବାସ ଘେରାଓ କଲା ବିଜେପି

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗଣତନ୍ତ୍ରରେ ସମସ୍ତଙ୍କୁ କହିବା ଏବଂ ବିରୋଧ କରିବା ପାଇଁ ଅଧିକାର ଅଛି । ବିରୋଧୀଙ୍କ କଂଠରୋଧ କରାଯିବା ସଂପୂର୍ଣ୍ଣ ଭାବେ ଅଗଣତାନ୍ତ୍ରୀକ । ପୋଲିସ ଓ ପ୍ରଶାସନର ଅପବ୍ୟବହାର କରି ରାଜ୍ୟ ସରକାର ବିରୋଧୀଙ୍କୁ ଦମନ କରିବାର ପ୍ରୟାସ ସିଧାସଳଖ ଗଣତନ୍ତ୍ରର ହତ୍ୟା । ବହୁଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡ ପ୍ରସଙ୍ଗରେ ତଦନ୍ତ ପ୍ରକ୍ରିୟା ସନ୍ଦେହ ଘେରରେ ଥିବା କାରଣରୁ ଏବଂ ଅପରାଧୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ ସରକାରଙ୍କ ଆନ୍ତରିକତାର ଅଭାବକୁ ବିରୋଧ କରି ଆଜି ରାଜ୍ୟ ବିଜେପି ତରଫରୁ ନବୀନ ନିବାସ ଘେରାଓ କରାଯିବା ଅବସରରେ ଏହା ସ୍ପଷ୍ଟ ପରିଲକ୍ଷିତ ହୋଇଛି ।
ଭାରତୀୟ ପିଙ୍ଗଳ ଆଇନ ଅନୁଯାୟୀ କୈାଣସି ବି ଘଟଣାର ଚାର୍ଜସିଟ୍ ୯୦ ଦିନ ଭିତରେ ମାନ୍ୟବର କୋର୍ଟଙ୍କୁ ପ୍ରଦାନ କରାଯିବା ଉଚିତ୍ । ଏହା ନହେଲେ ଦୋଷୀ ଦଣ୍ଡ ପାଇବା ଆଶା କ୍ଷୀଣ ହୋଇପଡେ । ବହୁଚର୍ଚ୍ଚତ ମମିତା ମେହେର ନିର୍ମମ ହତ୍ୟାକାଣ୍ଡ ଘଟିବାର ଆଜିକୁ ୧୨୦ ଦିନ ପୁରଣ ହୋଇଛି । ତଥାପି ଚାର୍ଜସିଟ୍ ଦାଖଲ କରାଯାଇପାରିଲା ନାହିଁ । ପରୋକ୍ଷରେ ସଂଘବଦ୍ଧ ଭାବେ ଘଟିଥିବା ଏହି ଅମାନୁଷିକ ଓ ନିର୍ମମ ହତ୍ୟାକାଣ୍ଡ ଘଟଣାରେ ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଂକର ମିଶ୍ରଙ୍କ ଘନିଷ୍ଠ ସହଯୋଗୀ ତଥା ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁକୁ ଗିରଫ କରି ପୋଲିସ ନୀରବରେ ବସିରହିଛି । ଏହି ଜଘନ୍ୟ ହତ୍ୟାକାଣ୍ଡରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଂକର ମିଶ୍ରଙ୍କ ସମେତ ଶାସକ ବିଜେଡିର ବହୁ ପ୍ରଭାବଶାଳୀ ମନ୍ତ୍ରୀ ଓ ନେତାଙ୍କ ସଂପୃକ୍ତି ଥିବା କାରଣରୁ ଜାଣିଶୁଣି ଏହି ଘଟଣାର ତଦନ୍ତ ପ୍ରକ୍ରିୟାକୁ ଦୁର୍ବଳ କରାଯାଉଛି । ଗୋବିନ୍ଦ ସାହୁ ଦୋଷୀ ସାବ୍ୟସ୍ତ ହୋଇଗଲେ ଅନ୍ୟମାନେ ଫସିଯିବା ଭୟରେ ତଦନ୍ତ ପ୍ରକ୍ରିୟାକୁ ଦୁର୍ବଳ କରାଯିବାର ବିରାଟ ଷଡଯନ୍ତ୍ର ରଚାଯାଇଛି ।
ରାଜ୍ୟର ମୁଖ୍ୟମନ୍ତ୍ରୀ ଅଜ୍ଞାତବାସରେ ! ରାଜ୍ୟବାସୀଙ୍କ ଦୁଃଖସୁଖ ଶୁଣିବାକୁ ତାଙ୍କ ପାଖରେ ସମୟ ନାହିଁ କି କିଏ ବି ଗୁହାରୀ କରିପାରିବେ ନାହିଁ । ମମିତାକୁ ନ୍ୟାୟ ଦାବୀରେ ଆଜିକୁ ଦୀର୍ଘ ୪ ମାସ ହେଲାଣି ଦାବୀ କରାଯିବା ସତ୍ୱେ ଅଭିଯୁକ୍ତଙ୍କୁ ଦଣ୍ଡ ପ୍ରଦାନ କରିବା ପରିବର୍ତେ ମୁଖ୍ୟମନ୍ତ୍ରୀ ସେମାନଙ୍କୁ କୋଳରେ ବସାଇବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଏଭଳି କରିବା ଦ୍ୱାରା ଅପରାଧୀମାନେ ନିର୍ଭୟରେ ଅପରାଧ ଭିଆଇ ଚାଲୁଛନ୍ତି । ରାଜ୍ୟରେ ଘଟୁଥିବା ଅଧିକାଂଶ ଅପରାଧ ଓ ହତ୍ୟାକାଣ୍ଡରେ ଶାସକ ବିଜେଡିର ମନ୍ତ୍ରୀ, ନେତାମାନଙ୍କ ସଂପୃକ୍ତିର ଯଥେଷ୍ଟ ପ୍ରମାଣ ଥିବା ସତ୍ୱେ ଷଡଯନ୍ତ୍ର କରି ସେମାନେ ଖସିଯିବାରେ ସଫଳ ହେଉଛନ୍ତି ଏବଂ ପୀଡିତା ଓ ତା ପରିବାର ନ୍ୟାୟ ପାଇବାରୁ ବଂଚିତ ହେଉଛନ୍ତି ।
ଶାସକ ବିଜେଡିର ପ୍ରତ୍ୟକ୍ଷ ପ୍ରୋତ୍ସାହନରେ ପୋଲିସ ଅପରାଧୀଙ୍କୁ ଦଣ୍ଡିତ କରିବା ପରିବର୍ତେ ସୁରକ୍ଷା ପ୍ରଦାନ କରୁଛି । ମମିତା ହତ୍ୟାକାଣ୍ଡ ପ୍ରସଙ୍ଗରେ ଅପରାଧୀମାନଙ୍କୁ ସୁରକ୍ଷା ପ୍ରଦାନ କରାଯାଉଛି । ସଠିକ୍ ତଦନ୍ତ ଦାବୀରେ ବିରୋଧୀଙ୍କ ଆନ୍ଦୋଳନକୁ ରାଜ୍ୟ ସରକାର ମାତ୍ରାଧିକ ପୋଲିସ ବଳପ୍ରୟୋଗ କରି ଆନ୍ଦୋଳନକାରୀଙ୍କୁ ଭୟଭୀତ କରୁଛନ୍ତି । ଆଜି ନବୀନ ନିବାସ ଘେରାଓ ଅବସରରେ ଶାନ୍ତିପୂର୍ଣ୍ଣ ଭାବେ ଯାଉଥିବା ବିଜେପି କାର୍ଯ୍ୟକର୍ତାଙ୍କୁ ପୋଲିସର ମାତ୍ରାଧିକ ବଳପ୍ରୟୋଗ କାରଣରୁ ବହୁ ସଂଖ୍ୟାରେ ବିଜେପି କାର୍ଯ୍ୟକର୍ତା ଗୁରୁତର ଭାବେ ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ମହିଳା କାର୍ଯ୍ୟକର୍ତାଙ୍କୁ ପୋଲିସର ଟଣାଓଟରା, ର୍ଦୁବ୍ୟବହାର ସହ ଦଳିଚକଟି ମାଡମାରିବା ଅତ୍ୟନ୍ତ ଲଜ୍ଜାଜନକ ବୋଲି ରାଜ୍ୟ ସାଧାରଣ ସଂପାଦକ ଡ.ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ।
ମମିତା ହତ୍ୟାକାଣ୍ଡ ଘଟଣାର ସଠିକ ଏବଂ ତ୍ୱରିତ ତଦନ୍ତ ସହ ସମସ୍ତ ଦୋଷୀଙ୍କ ବିରୋଧରେ କଡା ଚାର୍ଜସିଟ୍ ପ୍ରସ୍ତୁତ କରାଯାଇ ମାନ୍ୟବର କୋର୍ଟଙ୍କୁ ପ୍ରଦାନ କରାଯାଉ । ଏଥି ସହ ଘଟଣାର ମୁଖ୍ୟ ଷଡଯନ୍ତ୍ରକାରୀ ମନ୍ତ୍ରୀ ଦିବ୍ୟଶଂକର ମିଶ୍ରଙ୍କୁ ମୁଖ୍ୟମନ୍ତ୍ରୀ ନିଜ ମନ୍ତ୍ରୀମଣ୍ଡଳରୁ ବହିଷ୍କାର କରିବା ସହିତ ତାଙ୍କୁ ତଦନ୍ତ ପରିସରଭୁକ୍ତ କରାଯିବାକୁ ପୁଣି ଥରେ ଦାବୀ କରାଯାଇଛି । ମମିତାକୁ ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରୀ ରହିବ ବୋଲି ଡ.ଲେଖାଶ୍ରୀ କହିଛନ୍ତି ।
ଏହି କାର୍ଯ୍ୟକ୍ରମରେ ରାଜ୍ୟ ଉପସଭାନେତ୍ରୀ ଅନିତା ଶୁଭଦର୍ଶୀନି, ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ସ୍ମୃତି ପଟ୍ଟନାୟକ, ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ସୁରଥ ବିଶ୍ୱାଳ, ରାଜ୍ୟ ମୁଖପାତ୍ର ଉର୍ମିଳା ମହାପାତ୍ର, ଠାକୁର ରଣଜିତ୍ ଦାସ ଓ ସୋନାଲୀ ସାହୁ, ଭୂବନେଶ୍ୱର ଜିଲ୍ଲା ସଭାପତି ବାବୁ ସିଂ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ, ଜୟନ୍ତ୍ରୀ ପଢିଆରୀ, ମହିଳା ମୋର୍ଚ୍ଚା ଉପସଭାନେତ୍ରୀ କସ୍ତୁରୀ ମିଶ୍ର, ମହିଳା ମୋର୍ଚ୍ଚା ରାଜ୍ୟ ସଂପାଦିକା ରଶ୍ମୀରେଖା ଦାଶ, କଟକ ନଗର ସଭାନେତ୍ରୀ ପ୍ରବୀଣା ମହାପାତ୍ର, ଭଦ୍ରକ ସଭାନେତ୍ରୀ ହରପ୍ରିୟା ସାହୁ, ସୁଚରିତା ଜେନାମଣି, ଭୂବନେଶ୍ୱର ଜିଲ୍ଲା ସାଧାରଣ ସମ୍ପାଦକ ହିମାଂଶୁ ଶେଖର ଛୋଟରାୟ, ଦିଲ୍ଲୀପ ବେହେରା, ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ରଶ୍ମିରଞ୍ଜନ ମୁଦୁଲି, ଜିଲ୍ଲା ଓବିସି ମୋର୍ଚ୍ଚା ସଭାପତି ଉପେନ୍ଦ୍ର ଭଞ୍ଜ, ଜିଲ୍ଲା ଉପ ସଭାପତି ଦେବେନ୍ଦ୍ର ପତି, ତୃପ୍ତି ମକଦ୍ଦମ, ସୁବାଷିନୀ ପୃଷ୍ଟି, ଶିବ ବେହେରା, ମନୋରଞ୍ଜନ ସ୍ୱାଇଁ, ଜିଲ୍ଲା ସମ୍ପାଦକ ତାପସ ଦଳାଇ, ରଜନୀ ବାଳା ଦାସ, ଉର୍ଣ୍ଣତି ପରିଡା, ସୁବାଷିନୀ ପୃଷ୍ଟି, ଜିଲ୍ଲା ମଣ୍ଡଳ ସଭାପତି ସୁରେନ୍ଦ୍ର ପ୍ରଧାନ, ସନ୍ତୋଷ ଜେନା, ଅଞ୍ଜନ ନାଥ, ଅମରଜ୍ୱତି ଜଗଦ୍ଦେବ, ଜଗନ୍ନାଥ ବେହେରା, ବିଜୟ ରାଉତ ପ୍ରମୁଖଙ୍କ ସମେତ ହଜାର ହଜାର ସଂଖ୍ୟାରେ କାର୍ଯ୍ୟକର୍ତା ଯୋଗ ଦେଇଥିଲେ ।