ରାମ ମନ୍ଦିର ନିର୍ମାଣ ପ୍ରସଙ୍ଗ : ଶଙ୍କରାଚାର୍ଯ୍ୟଙ୍କୁ ଭେଟିଲା ବିଶ୍ୱ ହିନ୍ଦୁ ପରିଷଦ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ନେଇ ଗତ କିଛି ଦିନ ହେବ ଜୋରଦାର ରାଜନୀତି ଚାଲିଥିବା ବେଳେ ବିରୋଧୀମାନେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରୁଛନ୍ତି । ଏହାକୁ ନେଇ ବିବାଦ ବଢିବାରେ ଲାଗିଛି । ଏହି ପରିପ୍ରେକ୍ଷୀରେ ବିଶ୍ୱ ହିନ୍ଦୁ ପରିଷଦ (ଭିଏଚପି) ପକ୍ଷରୁ ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀଙ୍କ ପରାମର୍ଶ ଲୋଡାଯାଇଛି । ଭିଏଚପିର ଅନ୍ତଃରାଷ୍ଟ୍ରୀୟ ସଙ୍ଗଠନ ମହାମନ୍ତ୍ରୀ ବିନାୟକ ରାଓ ଦେଶପାଣ୍ଡେ ଶୁକ୍ରବାର ପୁରୀ ଗସ୍ତରେ ଆସି ଶଙ୍କରାଚାର୍ଯ୍ୟଙ୍କୁ ସାକ୍ଷାତ କରିଥିଲେ । ଶଙ୍କରାଚାର୍ଯ୍ୟ କହିଥିଲେ ଯେ, ରାମ ମନ୍ଦିର ନିର୍ମାଣ ପ୍ରସଙ୍ଗରେ ନ୍ୟାୟପାଳିକା ଉପରେ ଭରସା କରିବା ସହ ଆନ୍ଦୋଳନ କରି ବି ସଫଳତା ମିଳିଲା ନାହିଁ । ମନ୍ଦିର ନିର୍ମାଣରେ ରାଜନୀତି ନ କରାଗଲେ ସବୁ ଖୁବଶୀଘ୍ର ଏହା ସମ୍ଭବ ହେବ। ଏହା ଆତ୍ମଚିନ୍ତନର ସମୟ । ମନରେ ଠିକ୍‌ ନୀତି ରହୁ ନଥିବା ବେଳେ ସମସ୍ତେ ଶ୍ରେୟ ନେବାକୁ ଚାହୁଁଛନ୍ତି । ରାଜନେତା କିମ୍ବା ସନ୍ଥ ସମାଜ କେହି ଆଲୋଚନା ମାଧ୍ୟମରେ ସମାଧାନର ପନ୍ଥା ଖୋଜୁ ନାହାନ୍ତି । ରାଜନୀତିରୁ ଊର୍ଦ୍ଧ୍ୱରେ ରହି ସବୁ ପକ୍ଷ ବସି ଆଲୋଚନା ମାଧ୍ୟମରେ ରାମ ମନ୍ଦିର ସମ୍ପର୍କରେ ନିଷ୍ପତ୍ତି ବାହାର କରିବା ଦରକାର ବୋଲି ଶଙ୍କରାଚାର୍ଯ୍ୟ ପରାମର୍ଶ ଦେଇଥିଲେ । ଏହି ଅବସରରେ ମଠର ମୁଖପାତ୍ର ମନୋଜ ରଥ ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ ।
ଶଙ୍କରାଚାର୍ଯ୍ୟଙ୍କୁ ସାକ୍ଷାତ୍‌ କରିବା ପୂର୍ବରୁ ଦେଶପାଣ୍ଡେ ଶ୍ରୀମନ୍ଦିରକୁ ଦର୍ଶନ ପାଇଁ ଯାଇଥିଲେ ।

Leave a comment