୧୫ରେ ନବୀନଙ୍କ ପୁରୀ ଗସ୍ତ, ବସ୍ତି ବାସିନ୍ଦାଙ୍କୁ ପଟ୍ଟା ବାଣ୍ଟିବେ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆସନ୍ତା ୧୫ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପୁରୀ ଗସ୍ତ କାର୍ଯ୍ୟକ୍ରମ ରହିଛି। ଏ ନେଇ ଜିଳା ପ୍ରଶାସନକୁ କୌଣସି ସୂଚନା ପ୍ରଦାନ କରାଯାଇ ନଥିବା ବେଳେ ଏହି ଗସ୍ତ କାର୍ଯ୍ୟକ୍ରମ ଏକ ପ୍ରକାର ନିଶ୍ଚିନ୍ତ ବୋଲି ସୂତ୍ରରୁ ଜଣାପଡିଛି। ପୁରୀର ତାଳବଣିଆଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ନବୀନ ଯୋଗଦେବା ସହ ସେଠାକାର ବସ୍ତିବାସିନ୍ଦାଙ୍କୁ ଜମି ପଟ୍ଟା ବଣ୍ଟନ କରିବେ। ଏ ନେଇ ଆସନ୍ତା ରବିବାର ନଗର ଉନ୍ନୟନ ବିଭାଗ ସଚିବ ପୁରୀ ଆସି ଏହାର ସମୀକ୍ଷା କରିବେ। ସୂଚନା ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା ୪୨୪୫ ପଟ୍ଟା ବଣ୍ଟନ କରାଯିବା ନେଇ ନିଷ୍ପତ୍ତି ନିଆଯାଇଛି। ୩୦ବର୍ଗଫୁଟ ଜମି ରଖିଥିବା ୨୯୫୩ ଜଣ ଓ ୩୦ ବର୍ଗଫୁଟରୁ ୪୫ ବର୍ଗଫୁଟ ମଧ୍ୟରେ ଜମି ରଖିଥିବା ୮୪୬ ଜଣ ବସ୍ତିବାସିନ୍ଦାଙ୍କୁ ପଟ୍ଟା ବଣ୍ଟନ କରାଯିବ। ୩୦ ବର୍ଗଫୁଟରୁ ଅଧିକ ଜମି ରଖିଥିବାରୁ ସେମାନଙ୍କଠାରୁ ୨ କୋଟି ୩୨ ଲକ୍ଷ ୭୯ ହଜାର ୫୬୦ ଟଙ୍କା ଆଦାୟ ହେବ। ସେହିପରି ୪୫ ବର୍ଗଫୁଟ ଅଧିକ ଜମି ରଖିଥିବା ୪୪୬ଟି ପରିବାରଙ୍କୁ ପଟ୍ଟା ବଣ୍ଟନ ମଧ୍ୟ ଚୂଡାନ୍ତ ହୋଇଛି। ଅଧିକ ଜମି ବାବଦକୁ ସେମାନଙ୍କଠାରୁ ପ୍ରାୟ ୨ କୋଟି ୮୮ଲକ୍ଷ ୯୫ ହଜାର ୪୫୯ ଟଙ୍କା ଆଦାୟ ହେବ ବୋଲି ଜଣାପଡିଛି।