ପୋଖରାଜ ଧାରଣର ରହିଛି ଅନେକ ମହତ୍ତ୍ୱ: ଦୂର ହୁଏ ଧନ ସମସ୍ୟା, ମାନ-ସମ୍ମାନ ବୁଦ୍ଧି, ଜାଣନ୍ତୁ ଧାରଣ କରିବାର ବିଧି

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମଣିଷ ଜୀବନରେ ରତ୍ନର ଅନେକ ମହତ୍ତ୍ୱ ଅଛି। ରାଶି ଅନୁସାରେ ରତ୍ନ ଧାରଣ କଲେ ଜୀବନରେ ସୁଖ ସମୃଦ୍ଧି ଆସିଥାଏ। ଏହାସହ ମାନ ସମ୍ମାନ, ଓ ଧନ ବୃଦ୍ଧି ମଧ୍ୟ ହୋଇଥାଏ। ଏହିଭଳି ଚମତ୍କାରୀ ରତ୍ନରୁ ଗୋଟିଏ ହେଲା ପୋଖରାଜ। ପୋଖରାଜ ବୃହସ୍ପତି ଗ୍ରହର ରତ୍ନ ଏବଂ ଏହାର ରଙ୍ଗ ହଳଦିଆ। ଯେଉଁ ବ୍ୟକ୍ତିଙ୍କ କୁଣ୍ଡଳୀରେ ବୃହସ୍ପତି ଶୁଭ ସ୍ଥିତିରେ ଥାଆନ୍ତି, ସେମାନଙ୍କ ପାଇଁ ପୋଖରାଜ ବହୁତ ଫଳଦାୟୀ। ପୋଖରାଜ ଧାରଣ କଲେ ଶିକ୍ଷା, ଧନ-ସମ୍ପତ୍ତି ଓ ମାନ-ସମ୍ମାନ ବୃଦ୍ଧି ହୋଇଥାଏ। ଯେଉଁମାନଙ୍କ ବିବାହରେ କୌଣସି ସମସ୍ୟା ଥାଏ ସେମାନଙ୍କୁ ପୋଖରାଜ ଧାରଣ କରିବାକୁ ପରାମର୍ଶ ଦିଆଯାଇଥାଏ।
ଯେକୌଣସି ରତ୍ନ ଧାରଣ କରିବା ପୂର୍ବରୁ କୌଣସି ଭଲ ଜ୍ୟୋତିଷଙ୍କ ସହ ପରାମର୍ଶ କରିବା ଉଚିତ। କାରଣ ଜ୍ୟୋତିଷଙ୍କ ବିନା ପରାମର୍ଶରେ ରତ୍ନ ଧାରଣ କରିବା ହାନିକାରକ ମଧ୍ୟ ପ୍ରମାଣିତ ହୋଇପାରେ। ଚୋରି କରିଥିବା ରତ୍ନ ଧାରଣ କଲେ ମଧ୍ୟ ଅନେକ ସମସ୍ୟା ସାମ୍ନା କରିବାକୁ ପଡିଥାଏ। ସେଥିପାଇଁ ବିନା କାହାର ପରାମର୍ଶରେ ରତ୍ନ ଧାରଣ କରିବା ଅନୁଚିତ।
ପୋଖରାଜ ସବୁବେଳେ କୁଣ୍ଡଳୀରେ ବୃହସ୍ପତି ଗ୍ରହର ସ୍ଥିତି ହିସାବରେ ଧାରଣ କରିବା ଉଚିତ। ଏହାକୁ ବୃଷ, ମିଥୁନ, କନ୍ୟା, ତୁଳା, ମକର, କୁମ୍ଭ ରାଶି ଓ ଲଗ୍ନ ବ୍ୟକ୍ତି ଧାରଣ କରିବା ଅନୁଚିତ। ଅପରପକ୍ଷରେ ଧନୁ ରାଶି ବ୍ୟକ୍ତିଙ୍କ ପାଇଁ ପୋଖରାଜ ଶୁଭ ଓ ଲାଭଦାୟକ ହୋଇଥାଏ। ଦୁର୍ବଳ ପାଚନ ତନ୍ତ୍ର ଓ ପେଟ ସମ୍ବନ୍ଧୀୟ ରୋଗରେ ପୀଡିତ ଲୋକଙ୍କୁ ପୋଖରାଜ ଧାରଣ କରିବାକୁ ପରାମର୍ଶ ଦିଆଯାଇଥାଏ। ଧାର୍ମିକ ଓ ଆଧ୍ୟାତ୍ମିକ କାର୍ଯ୍ୟ ସହ ଜଡିତ ଲୋକଙ୍କ ପାଇଁ ମଧ୍ୟ ପୋଖରାଜ ଲାଭଦାୟକ ହୋଇଥାଏ। ଆଇନ ବ୍ୟବସ୍ଥା ସହ ଜଡିତ ଲୋକଙ୍କ ପାଇଁ ମଧ୍ୟ ବହୁତ ଶୁଭ।

ରତ୍ନ ଧାରଣ କରିବା ବିଧି –

ରତ୍ନ ଧାରଣ କରିବାର ମଧ୍ୟ ବିଧି ରହିଛି। ପୋଖରାଜ ଧାରଣ କରିବାକୁ ବୁଧବାର ଦିନ ସକାଳୁ ସ୍ନାନ କରି ଗଙ୍ଗାଜଳରେ କ୍ଷୀର ମିଶାଇ ସେଥିରେ ପୋଖରାଜ ପକାଇବେ। ବୃହସ୍ପତି ଗ୍ରହର ରତ୍ନ ହୋଇଥିବାରୁ ଗୁରୁବାର ଦିନ ଧାରଣ କରିବାକୁ ପରାମର୍ଶ ଦିଆଯାଏ। ଗୁରୁବାର ଦିନ ସୂର୍ଯ୍ୟୋଦୟରୁ ସକାଳ ୧୦ଟା ମଧ୍ୟରେ ଯେଉଁ ସମୟରେ ବି ଧାରଣ କରିପାରିବେ। ସେଥିପାଇଁ ଗୁରୁବାର ଦିନ ‘ଓଁ ବ୍ରୁଂ ବୃହସ୍ପତେ ନମଃ’ ମନ୍ତ୍ର ଗୋଟିଏ ମାଳା ଜପ କରି ତର୍ଜନୀ ଆଙ୍ଗୁଠିରେ ଧାରଣ କରିବା ଉଚିତ। ଗୋଟିଏ କଥା ସବୁବେଳେ ମନେରଖିବେ, ପୋଖରାଜ ଧାରଣ କରିବା ପରେ ବୁଧବାର ଓ ଗୁରୁବାର ଦିନ ନିଶା, ମଦ, ମାଂସ ଆଦି ଭୁଲରେ ବି ସେବନ କରିବେ ନାହିଁ।

Leave a comment