ଅରିନ୍ଦମଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ନେଇ ଥାନାରେ ଅଭିଯୋଗ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଲୋକପ୍ରିୟ ଯୁବ ସାମ୍ବାଦିକ ସ୍ୱର୍ଗତ ଅରିନ୍ଦମ ଦାସଙ୍କ ଅକାଳ ବିୟୋଗ ପରେ କିଛି ଅସାମାଜିକ ବ୍ୟକ୍ତି ସୋସିଆଲ ମିଡ଼ିଆରେ ତାଙ୍କ ଚରିତ୍ର ସଂହାର କରୁଥିବା ଦେଖିବାକୁ ମିଳୁଛି । ଯାହା ସମଗ୍ର ସାମ୍ବାଦିକଜଗତ ଓ ତାଙ୍କ ପରିବାରକୁ ମର୍ମାହତ କରିଛି । ଏହା ବିରୋଧରେ ଆଜି ଭୁବନେଶ୍ୱର ସାମ୍ବାଦିକ ସଂଘ ପକ୍ଷରୁ ଥାନାରେ ଏତଲା ଦିଆଯାଇଛି ।

ଅଭିଯୋଗ ଅନୁଯାୟୀ, ଲୋକପ୍ରିୟ ଯୁବ ସାମ୍ବାଦିକ ଅରିନ୍ଦମ ଦାସ ମୁଣ୍ଡୁଳି ବୋଟ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଛନ୍ତି । ଯାହା ସାମ୍ବାଦିକମାନଙ୍କୁ ବିଶେଷ ଭାବେ ମର୍ମାହତ କରିଛି । ଏହି ସମୟରେ ଜଣେ ଯୁବକ ସୋସିଆଲ ମିଡ଼ିଆରେ ଅରିନ୍ଦମଙ୍କୁ ନେଇ ବିଭିନ୍ନ କଟୁ ମନ୍ତବ୍ୟ ଦେବା ସହ ତାଙ୍କ ଚରିତ୍ର ସଂହାର କରୁଥିବା ନଜୀରକୁ ଆସିଥିଲା । ଫେସବୁକ, ହ୍ୱାଟ୍ସଆପ ଗ୍ରୁପରେ ବିଭିନ୍ନ ଆପତିଜନକ କଟୁକଥା ଓ ଚରିତ୍ର ସଂହାର କଲା ଭଳି ମନ୍ତବ୍ୟ ଦେଇ ଭାଇରାଲ କରୁଛି ।
ଏ ଦୁଃଖଦ ସମୟରେ ସୋସିଆଲ ମିଡ଼ିଆରେ ଏଭଳି ମନ୍ତବ୍ୟ ଓ ଚରିତ୍ର ସଂହାର କରିବା ସାମ୍ବାଦିକମାନଙ୍କୁ କଟା ଘା’ରେ ଚୁନ ଦେବା ସଦୃଶ୍ୟ ହୋଇଛି । କେବଳ ସାମ୍ବାଦିକ ନୁହେଁ, ବରଂ ତାଙ୍କ ପରିବାର ଓ ସମ୍ପର୍କୀୟଙ୍କୁ ମଧ୍ୟ ବେଶ ମର୍ମାହତ କରିଛି । ତେବେ ଏଭଳି ମନ୍ତବ୍ୟ ଓ ସମାଲୋଚନା କେବଳ ସ୍ୱର୍ଗତ ଅରିନ୍ଦମ ନୁହେଁ ବରଂ ସମସ୍ତ ସାମ୍ବାଦିକଙ୍କ ପାଇଁ ଅପମାନଜନକ । ତେଣୁ ଏହି ଘଟଣାକୁ ଗମ୍ଭିରତାର ସହ ନେଇ ଭୁବନେଶ୍ୱର ସାମ୍ବାଦିକ ସଂଘର ସଭାପତି ପ୍ରତାପ ଚନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ସଂଘ କର୍ମକର୍ତ୍ତାମାନେ କ୍ୟାପିଟାଲ ଥାନାରେ ଅଭିଯୋଗ କରିଛନ୍ତି । ଏତଲା ପ୍ରଦାନ ସମୟରେ ବରିଷ୍ଠ ସାମ୍ବାଦିକ ଗଗନ ସ୍ୱାଇଁ, ଜିତେନ୍ଦ୍ର ମହାନ୍ତି, ଆଲୋକ ମହାନ୍ତି, ଶୁଭକାନ୍ତ ପଢିହାରି, ଯତୀନ୍ଦ୍ର କୁମାର ସେଣ୍ଡ, ନଳୀନି ରାଉତ, ଲିଙ୍ଗରାଜ ସାହୁଙ୍କ ସମେତ ବହୁ ସାମ୍ବାଦିକ ଉପସ୍ଥିତ ଥିଲେ ।