ଭୂପେନ୍ଦ୍ର ପଟେଲ ଗୁଜୁରାଟର ମୁଖ୍ୟମନ୍ତ୍ରୀ

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଗୁଜରାଟରେ ପୁଣି ‘ପଟେଲ’ ରାଜ ସ୍ଥାପିତ ହେବାକୁ ଯାଉଛି। ରାଜଧାନୀ ଗାନ୍ଧିନଗରସ୍ଥିତ ପାର୍ଟି କାର୍ଯ୍ୟାଳୟ ‘କମଲମ’ରେ ଅନୁଷ୍ଠିତ ବିଧାୟକ ଦଳ ବୈଠକରେ ଭୂପେନ୍ଦ୍ର ପଟେଲଙ୍କୁ ବିଧାୟକ ଦଳର ନୂଆ ନେତା ନିର୍ବାଚନ କରାଯାଇଛି। ଏହି ବୈଠକରେ ପ୍ରଦେଶ ବିଜେପି ଅଧ୍ୟକ୍ଷ ସି.ଆର.ପାଟିଲ, କାର୍ଯ୍ୟକାରୀ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ, ଉପମୁଖ୍ୟମନ୍ତ୍ରୀ ନିତିନ ପଟେଲ, କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ନରେନ୍ଦ୍ର ସିଂ ତୋମର, ପ୍ରହ୍ଲାଦ ଯୋଶୀ ଓ ତରୁଣ ଚୁଗ୍ ମଧ୍ୟ ଉପସ୍ଥିତ ଥିଲେ।
ଗୁଜରାଟ ବିଜେପିରେ ବର୍ଚସ୍ୱ ଲଢେଇର ପରିଣାମ ୨୦୧୭ ବିଧାନସଭା ନିର୍ବାଚନରୁ ଦଳକୁ ଜଣାପଡିଯାଇଥିଲା। ପଟେଲ ସମୂଦାୟର ଅସନ୍ତୋଷ ଯୋଗୁ ଦଳକୁ ଗତ ନିର୍ବାଚନରେ ୧୦୦ ଆସନ ମଧ୍ୟ ସହଜରେ ମିଳିପାରିନଥିଲା। ୧୮୨ ସଦସୀୟ ବିଧାନସଭାରେ ବିଜେପିକୁ ୯୯ଟି ଆସନ ମିଳିଥିଲା। ତେବେ ନିର୍ବାଚନର ବର୍ଷକ ପୂର୍ବରୁ ଆନନ୍ଦି ବେନ ପଟେଲଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇ ଦିଆଯିବା ଏହାର ଏକ ମୁଖ୍ୟ କାରଣ ଥିଲା। ପୂର୍ବରୁ ବିଧାନସଭାରେ ମାତ୍ର ୧୬ଟି ଆସନରେ ସୀମିତ ରହୁଥିବା କଂଗ୍ରେସ ୭୭ଟି ଆସନ ପାଇବାକୁ ସକ୍ଷମ ହୋଇଥିଲା।
ଏହି ଫଳାଫଳରୁ ବିଜୟ ରୂପାଣୀଙ୍କ ନେତୃତ୍ୱରେ ବିଜେପି ପରବର୍ତ୍ତି ବିଧାନସଭା ନିର୍ବାଚନ ଲଢିବ ନାହିଁ ବୋଲି ପୂର୍ବରୁ ସ୍ପଷ୍ଟ ହୋଇସାରିଥିଲା। ସେହି ଅନୁସାରେ ରୂପାଣୀଙ୍କୁ ପଦରୁ ହଟାଇ ଦିଆଯାଇଥିବା ବେଳେ ବିଧାୟକ ଦଳନେତା ଚୟନ ଦାୟିତ୍ୱ ଦଳୀୟ ବିଧାୟକଙ୍କ ଉପରେ ନ୍ୟସ୍ତ କରିଦିଆଯାଇଥିଲା। ଅପରାହ୍ନ ସାଢେ ୩ଟା ବେଳେ କମଲମରେ ଅନୁଷ୍ଠିତ ବିଧାୟକ ଦଳ ବୈଠକ ନିଜ ନେତା ମନୋନୀତ କରିନେଇଛି। ଖୁବ୍ ଶୀଘ୍ର କେନ୍ଦ୍ରୀୟ ନେତୃତ୍ୱଙ୍କୁ ନିଷ୍ପତ୍ତି ଜଣାଇ ଦିଆଯିବା ସହ ନୂଆ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା ହେବ ବୋଲି ଜଣାପଡିଛି।