ହକି ଖେଳାଳିଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ) : ଦୀର୍ଘ ୪୧ ବର୍ଷ ପରେ ଭାରତୀୟ ପୁରୁଷ ହକି ଦଳ ଅଲିମ୍ପିକ୍ସରେ ପଦକ ଜିତି ଇତିହାସ ରଚିବା ସହ ଦେଶ ପାଇଁ ଗୌରବ ଆଣିଛନ୍ତି। ସେପଟେ ମହିଳା ହକି ଦଳ ଭାରତର ଅଲିମ୍ପିକ୍ସ ଇତିହାସରେ ପ୍ରଥମ ଥର ସେମି ଫାଇନାଲ୍‌ ପର୍ଯ୍ୟନ୍ତ ପହଞ୍ଚିବାରେ ସଫଳ ହୋଇଥିଲେ। ଦଳ ପଦକ ଜିତିନଥିଲେ ବି ନିଜ ଦମଦାର ଖେଳ ଜରିଆରେ ଦେଶବାସୀଙ୍କ ହୃଦୟ ଜିତିଛନ୍ତି। ସବୁଠୁ ବଡ କଥା ଭାରତୀୟ ପୁରୁଷ ଓ ହକି ଦଳର ମୁଖ୍ୟ ପ୍ରାୟୋଜକ ହେଉଛି ଓଡିଶା। ଏହି ସଫଳତା ପଛରେ ଓଡିଶା ସରକାରଙ୍କ ଶ୍ରେୟ ରହିଛି। ଏହି ପରିପ୍ରେକ୍ଷୀରେ ଉଭୟ ପୁରୁଷ ଓ ମହିଳା ହକି ଦଳର ଖେଳାଳିଙ୍କୁ ସମ୍ବର୍ଦ୍ଧିତ କରିବା ସହ ପୁରସ୍କୃତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଅବସରରେ ଆଗାମୀ ୧୦ ବର୍ଷ ପର୍ଯ୍ୟନ୍ତ ଓଡିଶା ମହିଳା ଏବଂ ପୁରୁଷ ହକି ଦଳକୁ ସ୍ପୋନ୍ସର(ପ୍ରାୟୋଜକ) କରିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି।

ଉଭୟ ଦଳର ପ୍ରାୟୋଜକ ଥିବା ଓଡ଼ିଶା ସରକାର ଏହି ଖେଳାଳିମାନଙ୍କୁ ଲୋକସେବା ଭବନ କନଭେନସନ ହଲ୍ରେ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧିତ କରିବା ସହ ପୁରସ୍କୃତ କରାଯାଇଛି। ଓଡିଶାର ଦୀପଗ୍ରେସ୍ ଏକ୍କାଙ୍କୁ ଶ୍ରେଷ୍ଠ ଡିଫେଣ୍ଡର ଭାବେ ପୁରସ୍କୃତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିସହ ତାଙ୍କୁ ୫ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ। ମହିଳା ହକି ଦଳର ଅଧିନାୟକ ରାଣୀ ରାମପାଲ ଏବଂ ନବନୀତ କୌରଙ୍କୁ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ପୁରସ୍କାର ଦିଆଯାଇଛି। ଗୋଲ କିପର ସବିତାଙ୍କୁ ଶ୍ରେଷ୍ଠ ଗୋଲକିପର ବାବେ ପୁରସ୍କୃତ କରାଯାଇଛି। ବନ୍ଦନା କଟାରିଆ ଓ ଗୁରଜିତ କୌରଙ୍କୁ ସର୍ବାଧିକ ଗୋଲ୍ ପାଇଁ ପୁରସ୍କାର ପ୍ରଦାନ କରାଯାଇଛି। ପ୍ରତ୍ୟେକଙ୍କୁ ମୁଖ୍ୟମନ୍ତ୍ରୀ ୫ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରାଶି ପ୍ରଦାନ କରିଛନ୍ତି।

Leave a comment