ଡ଼ିଜିଟାଲ ମନିଟରିଂ ସାହାଯ୍ୟରେ ପଞ୍ଚାୟତ ନିର୍ବାଚନକୁ ଓଲ୍ହାଇବ ବିଜେଡି

0

ଓଡିଶା ଫାଷ୍ଟ(ବ୍ୟୁରୋ): ଆସନ୍ତା ଫେବ୍ରୁଆରୀରେ ପଞ୍ଚାୟତ ନିର୍ବାଚନ । ଏଥର ଏତେ ସହଜ ହେବନି ଏହି ନିର୍ବାଚନ । ପ୍ରତି ମୁହୂର୍ତ୍ତରେ ବଢ଼ିବ ଚିନ୍ତା । କାରଣ ବିଜେଡି ପଞ୍ଚାୟତ ନିର୍ବାଚନରେ ଭଲ ଫଳ ଏବଂ ସ୍ୱାଭିମାନ ରକ୍ଷା ପାଇଁ ପ୍ରତିଟି ପ୍ରୟାସର ଉପରେ ନଜର ରଖିବ ଡ଼ିଜିଟାଲ ମନିଟରିଂ । ପ୍ରତି ପଞ୍ଚାୟତରେ ହେଉଥିବା ଦଳୀୟ ବୈଠକର ହେବ ତଦାରଖ । ଏହି ଡ଼ିଜିଟାଲ ମନିଟରିଂ ସାହାଯ୍ୟରେ ପ୍ରତିଟି କର୍ମୀ ସମ୍ବିଳନୀ ରେ କେତେ କର୍ମୀ ଉପସ୍ଥିତ ଥିଲେ, ଯଦି କମ କର୍ମୀ ଉପସ୍ଥିତ ଥିବେ ତେବେ ଏହାର କାରଣ ଦର୍ଶାଇବାକୁ ପଡିବ ସେହିପରି ଗ୍ରାମର ଉନ୍ନତି ପାଇଁ ନିଅ ଯାଉଥିବା ପଦକ୍ଷେପର ମଧ୍ୟ ଦେବାକୁ ହେବ ବିବରଣୀ । ପ୍ରତି ଅଞ୍ଚଳର ଦଳର ସ୍ଥିତି ଉପରେ ଲଗାତାର ଦେବାକୁ ପଡିବ ବିବରଣୀ । ଯାହାକୁ ନେଇ ସରପଞ୍ଚ ଠାରୁ ଆରମ୍ଭ କରି ପର୍ଯ୍ୟବେକ୍ଷକ, ମନ୍ତ୍ରୀ ଓ ନେତା ସମସ୍ତେ ଛାନିଆ ହେଲେଣି । ଏହି ଡ଼ିଜିଟାଲ ମନିଟରିଂ କିପରି ଭାବରେ ହେବ ସେନେଇ ବସିଥିଲା ବୈଠକ । ଏହି ବୈଠକରେ ବିଜେଡି ସାଙ୍ଗଠନିକ ସମ୍ପାଦକ ବିଧାୟକ ପ୍ରଣବ ପ୍ରକାଶ ଦାସ, ସାଧାରଣ ସମ୍ପାଦକ ପ୍ରଣବ ବଳବନ୍ତ ରାୟ, ବିଜୁ ଯୁବ ଜନତା ଦଳ ସଭାପତି ଵ୍ୟମକେଶ ରାୟ, ବିଜୁ ଛାତ୍ର ଜନତା ଦଳ ସଭାପତି ଦେବୀରଞ୍ଜନ ତ୍ରିପାଠୀ ଏବଂ ବିଜେଡି ଡିଜିଟାଲ ଶାଖାର ମୁଖ୍ୟ ସୁବ୍ରତ ରାୟ ପ୍ରମୁଖ ଉପସ୍ଥିତ ଥିଲେ ।

ସୂଚନା ଅନୁଯାୟୀ, ଆଗାମୀ ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ବିଜେଡି ନିଜର ରୋଡ ମ୍ୟାପ ପ୍ରସ୍ତୁତ କରିସାରିଛି । ଗୋଟେ ପରେ ଆଉ ଗୋଟେ ଗୋଟି ଚାଳନା କରିବାରେ ତତ୍ପର ବିଜେଡି । ପ୍ରଥମେ ପ୍ରତି ଜିଲ୍ଲାରେ ନିଜ ସଙ୍ଗଠନକୁ ସୁଦୃଢ କରିବାକୁ ଜିଲ୍ଲା ସ୍ତରରେ ବର୍ଷିୟାନ ପର୍ଯ୍ୟବେକ୍ଷକ ନିଯୁକ୍ତି ଶେଷ ହେଲାଣି । ସେହିପରି ଏହି ପର୍ଯ୍ୟବେକ୍ଷକଙ୍କୁ ସହଯୋଗ କରିବାକୁ କିଛି ସହ ପର୍ଯ୍ୟବେକ୍ଷକଙ୍କୁ ମଧ୍ୟ ଖୁବଶୀଘ୍ର ନିଯୁକ୍ତି ଦିଆଯିବ ।

ଅପରପକ୍ଷରେ ରାଜ୍ୟର ପ୍ରାୟ ୪ହଜାର ପଡ଼ା ପାଇଛି ରାଜସ୍ୱ ଗାଁର ମାନ୍ୟତା । ମୂଳ ଗ୍ରାମରୁ ୫୦୦ ମିଟର ଦୂରରେ ଥିବା ୨୫୦ରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ପଡା ଗାଁକୁ ମିଳିଛି ରାଜସ୍ୱ ଗାଁର ମାନ୍ୟତା । ମୂଳ ଗାଁଠାରୁ ୫ଶହ ମିଟରରୁ କମ ଦୂରତା ବିଶିଷ୍ଟ ପଡ଼ା ଗାଁର ଜନସଂଖ୍ୟା ୩ଶହରୁ ଅଧିକ ହୋଇଥିଲେ ମଧ୍ୟ ରାଜସ୍ବ ଗାଁର ମାନ୍ୟତା ମିଳିଛି ।

ସେହିପରି ଆଉ ଏକ ଷ୍ଟାଟେଜି ଅପଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ ଆଇଏଏସ ଅଫିସର ଅଶୋକ ମିନାଙ୍କୁ ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗର ପ୍ରମୁଖ ସଚିବ ଦାୟିତ୍ୱ ପ୍ରଦାନ କରିଛନ୍ତି । ଏହା ପୂର୍ବରୁ ଡି. କେ. ସିଂ ଅନେକ ବର୍ଷ ହେଲା ପଞ୍ଚାୟତିରାଜ ଦାୟିତ୍ୱରେ ଥିଲେ ମଧ୍ୟ ପଞ୍ଚାୟତ ଉନ୍ନତି ପାଇଁ ସେଭଳି କିଛି ଆଖିଦୃଷ୍ଟିଆ କାର୍ଯ୍ୟ କରିନଥିବାରୁ ତାଙ୍କ ବଦଳରେ ଅଶୋକ ମିନାଙ୍କୁ ଏହିଦାୟିତ୍ୱ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ । କାରଣ ଆଇଏଏସ ଅଫିସର ଅଶୋକ ମିନା ଜଣେ ଅଭିଜ୍ଞ, ଦକ୍ଷ ଏବଂ କର୍ତ୍ତବ୍ୟନିଷ୍ଠ ପ୍ରଶାସକ ଭାବରେ ଖୁବ ଜଣାଶୁଣା ।

Leave a comment