ପଥର ପାଲଟି ଯାଉଛି ଏହି ୫ ମାସ ପିଲାର ଶରୀର; ପଢ଼ନ୍ତୁ କିପରି

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଦୁନିଆ କୁ ଭଲ ଭାବେ ଦେଖିନି ସେ। ଯେଉଁ ବୟସରେ ସେ ମାଆ କୋଳରେ ଖେଳିବା କଥା, ସେହି ସମୟରେ ତା’ ପ୍ରତି ଈଶ୍ୱର ଯେମିତି ନିଷ୍ଠୁର ହେଇଯାଇ ଛନ୍ତି। ବୟସ ମାତ୍ର ୫ ମାସ। ବ୍ରିଟେନରେ ଜନ୍ମିତ ଏହି ଶିଶୁଟି ଫାଇବ୍ରୋଡାଇସପ୍ଲାସିଆ ଓସିଫିକାନ୍ସ ପ୍ରୋଗ୍ରେସିଭା ନାମକ ଏକ ବିରଳ ରୋଗରେ ଆକ୍ରାନ୍ତ ହୋଇଛି । ଏହି ରୋଗରେ ରୋଗୀର ଶରୀର ପଥର ପରି ପରିବର୍ତ୍ତନ ହୋଇଯାଏ । ଏହି ରୋଗ ପ୍ରାୟତଃ ବହୁତ କମ୍ ଲୋକଙ୍କ ଠାରେ ଦେଖାଯାଇଥାଏ । ତେବେ ଶିଶୁଟିର ଚିକିତ୍ସା ପାଇଁ ତା’ର ପିତାମାତା ଅର୍ଥ ଯୋଗାଡ଼ କରୁଥିବା ଜଣାପଡ଼ିଛି । ଶିଶୁର ପିତାମାତା ବ୍ରିଟେନର ଜଣେ ଟପ୍ ସ୍ପେସିଆଲିଷ୍ଟଙ୍କ ସହ ଯୋଗାଯୋଗ କରିଥିଲେ । ନିଜର ୩୦ ବର୍ଷର କ୍ୟାରିୟର ମଧ୍ୟରେ ସେ ଏପରି ରୋଗ ବିଷୟରେ ଜାଣିନଥିବା ଡାକ୍ତର ଜଣକ କହିଥିଲେ।

ସୂଚନାଯୋଗ୍ୟ, ୨୦ ଲକ୍ଷ ଲୋକଙ୍କ ମଧ୍ୟରୁ ଜଣେ ଏହି ଭୟଙ୍କର ରୋଗରେ ଆକ୍ରାନ୍ତ ହୋଇଥାଏ । ଗତ ଜାନୁଆରୀ ମାସ ୩୧ ତାରିଖରେ ଶିଶୁଟି ବ୍ରିଟେନର ହାର୍ଟଫୋର୍ଡସାୟରେ ଜନ୍ମଗ୍ରହଣ କରିଥିଲା । ଏହି ରୋଗରେ ଆକ୍ରାନ୍ତ ହେବା ପରେ ରୋଗୀର ମାଂସପେଶୀ, ହାଡ଼ ଆଦିରେ ବିଭିନ୍ନ ସମସ୍ୟା ଦେଖାଦେଇଥାଏ । ରୋଗୀର ଅବସ୍ଥା ଏପରି ଗୁରୁତର ହୋଇଥାଏ ଯେ, ଶରୀର ପଥର ପରି ହୋଇଯାଇଥାଏ । ଏହି ରୋଗରେ ଆକ୍ରାନ୍ତ ହେଲେ ରୋଗୀ ବର୍ଷ ବର୍ଷ ଧରି ଶଯ୍ୟାଶାୟୀ ହେବା ସହ ପ୍ରାୟ ୪୦ ବର୍ଷ ମଧ୍ୟରେ ମୃତ୍ୟୁବରଣ କରିଥାଏ । ଶିଶୁଟିର ଅବସ୍ଥା ନେଇ ପିତାମାତା ଗଭୀର ଭାବେ ଭାଙ୍ଗି ପଡ଼ିବା ସହ ବୈଜ୍ଞାନିକମାନେ ଚିକିତ୍ସା ଜାରି ରଖିଥିବା କହିଛନ୍ତି ।

Leave a comment