କରୋନାକୁ ହରାଇଲେ ୮୦ ବର୍ଷୀୟା ବୃଦ୍ଧା

କେନ୍ଦ୍ରାପଡ଼ା ସମ୍‌ କୋଭିଡ୍‌ ହସ୍ପିଟାଲରୁ ହେଲେ ସୁସ୍ଥ

0

ଓଡ଼ିଶାଫାଷ୍ଟ (ବ୍ୟୁରୋ): କରୋନାକୁ ପରାସ୍ତ କରିଛନ୍ତି ପୁଣି ଜଣେ ବୟୋଜ୍ୟେଷ୍ଠା ବୃଦ୍ଧା । ୮୦ ବର୍ଷୀୟା ବୃଦ୍ଧାଙ୍କ ଦୃଢ ଇଛାଶକ୍ତି ଆଗରେ ହାର ମାନିଛି କୋଭିଡ । ତାଙ୍କ ଦୃଢ଼ ମନୋବଳ, ଇଛାଶକ୍ତି ତଥା କେନ୍ଦ୍ରାପଡା ଛତାସ୍ଥିତ ସମ୍‌ କୋଭିଡ ହସ୍ପିଟାଲରେ କାର୍ଯ୍ୟରତ ଡାକ୍ତର, ନର୍ସ ଓ ମେଡିକାଲ୍‌ କର୍ମଚାରୀଙ୍କ ଅକ୍ଳାନ୍ତ ପରିଶ୍ରମ, ଚିକିତ୍ସା, ସେବା ଓ ଯତ୍ନ ଫଳରେ ସେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
କେନ୍ଦ୍ରାପଡା ଜିଲ୍ଲାପାଳ ଶ୍ରୀ ଅମ୍ରିତ ରୁତୁରାଜ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ ଏ ନେଇ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି ।
କେନ୍ଦ୍ରାପଡା ଜିଲ୍ଲା ଗରଦପୁର ବ୍ଲକ୍‌ ଅନ୍ତର୍ଗତ ହରିଦାସପୁର ଗ୍ରାମର କ୍ଷୀରୋଦା ମହାନ୍ତି (୮୦) କିଛି ଦିନ ତଳେ ହଠାତ ଅସୁସ୍ଥ ହୋଇ ପଡିଥିଲେ । ତାଙ୍କର ଥଣ୍ଡା ଓ କାଶ ଲାଗି ରହିଥିଲା । ତାଙ୍କୁ ଜ୍ୱର ମଧ୍ୟ ହୋଇଥିଲା । ପୁଅ ଖଗେଶ୍ୱର ମହାନ୍ତି ତାଙ୍କୁ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ଆଣିଥିଲେ । ସେଠାରେ କ୍ଷୀରୋଦା ଓ ତାଙ୍କ ପୁଅ ଖଗେଶ୍ୱରଙ୍କର କୋଭିଡ୍‌ ଆଣ୍ଟିଜେନ୍‌ ପରୀକ୍ଷା କରାଯାଇଥିଲା । ଉଭୟଙ୍କର ନେଗେଟିଭ୍‌ ବାହାରିଥିଲେ ବି କ୍ଷୀରୋଦାଙ୍କର ଅମ୍ଳଜାନ ସ୍ତର ବହୁ କମ୍‌ ଥିଲା । ଅମ୍ଳଜାନ ସ୍ତର ୫୬ ପର୍ଯ୍ୟନ୍ତ ଖସିଆସିଥିଲା । ତାଙ୍କୁ ତୁରନ୍ତ ଜୁନ୍‌ ୬ ତାରିଖରେ କେନ୍ଦ୍ରାପଡା ସହର ଉପକଣ୍ଠ ଛତାଠାରେ ଥିବା ସମ୍‌ କୋଭିଡ୍‌ ହସ୍ପିଟାଲ ରେ ଭର୍ତି କରାଯାଇଥିଲା । ସେଠାରେ କ୍ଷୀରୋଦାଙ୍କର କୋଭିଡ୍‌ ଆରଟିପିସିଆର୍‌ ଟେଷ୍ଟ ରିପୋର୍ଟ ପଜିଟିଭ୍‌ ବାହାରିଥିଲା । ଦିନକୁ ଦିନ ତାଙ୍କର ଅମ୍ଳଜାନ ସ୍ତର କମିବା ସହ ନିଃଶ୍ୱାସ ପ୍ରଶ୍ୱାସ ନେବା କଷ୍ଟକର ହୋଇପଡିଥିଲା । ଗୁରୁତର ହୋଇପଡିଥିଲେ କ୍ଷୀରୋଦା । ମାତ୍ର ସମ୍‌ କୋଭିଡ୍‌ ହସ୍ପିଟାଲରେ ଉପଲବ୍ଧ ଅତ୍ୟାଧୁନିକ ଚିକିତ୍ସା ଭିତିଭୂମି ସାଙ୍ଗକୁ ଅଭିଜ୍ଞ ଓ ବରିଷ୍ଠ ଡାକ୍ତରଙ୍କ ଆପ୍ରାଣ ପ୍ରଚେଷ୍ଟା କ୍ଷୀରୋଦାଙ୍କୁ ନୂଆ ଜୀବନ ଦେଇଥିଲା । ସେ ସୁସ୍ଥ ହୋଇ ଘରକୁ ଫେରିବା ପରେ ସମ୍‌ କୋଭିଡ୍‌ ହସ୍ପିଟାଲର ଡାକ୍ତର, ନର୍ସ ଓ ଅନ୍ୟାନ୍ୟ କର୍ମଚାରୀମାନଙ୍କୁ କ୍ଷୀରୋଦ ଓ ତାଙ୍କ ପୁଅ ଖଗେଶ୍ୱର କୃତଜ୍ଞତା ଜଣାଇଛନ୍ତି ।

Leave a comment