୧୧ରେ ସବୁ ପେଟ୍ରୋଲ ପମ୍ପ ଆଗରେ କଂଗ୍ରେସର ବିକ୍ଷୋଭ
ଭୁବନେଶ୍ୱର(ଓଡ଼ିଶାଫାଷ୍ଟ ବ୍ୟୁରୋ): ସରକାରର କ୍ରମାଗତ ତୈଳଦର ବୃଦ୍ଧିର ପ୍ରତିବାଦ କରିଛି କଂଗ୍ରେସ । ତୈଳଦର ବୃଦ୍ଧି ପ୍ରତିବାଦରେ ଆସନ୍ତା ୧୧ ତାରିଖ ଦିନ କଂଗ୍ରେସ ଦଳ ପକ୍ଷରୁ ରାଜ୍ୟର ସବୁ ପେଟ୍ରୋଲ ପମ୍ପ ଆଗରେ ୪ ଘଣ୍ଟିଆ ବିକ୍ଷୋଭ ଓ ଧାରଣା ଦିଆଯିବ ବୋଲି କଂଗ୍ରେସ କହିଛି । ଆଜି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ, କରୋନାର ଦ୍ୱିତୀୟ ଲହର ସାରା ଦେଶକୁ କବଳିତ କରିଥିବା ବେଳେ କେନ୍ଦ୍ରର ମୋଦି ସରକାର ଲଗାତାର ଭାବେ ପେଟ୍ରୋଲ ଓ ଡିଜେଲର ଦରବୃଦ୍ଧି କରିବାରେ ଲାଗିଛନ୍ତି । ଦେଶର କେତେକ ଅଞ୍ଚଳରେ ପେଟ୍ରୋଲ ଓ ଡିଜେଲର ଦର ଲିଟର ପ୍ରତି ୧୦୦ ଟଙ୍କା ପାର ହୋଇଛି ଓ ଜନସାଧାରଣଙ୍କ ପାଇଁ ଏହା ଅତ୍ୟନ୍ତ ପୀଡାଦାୟକ ହୋଇଛି, ଯେଉଁଥିପାଇଁ ଘରୋଇ ସାମଗ୍ରୀ ଓ ନିତ୍ୟ ବ୍ୟବହୃତ ଖାଦ୍ୟ ସାମଗ୍ରୀର ଦର ଆକାଶ ଛୁଆଁ ହୋଇଛି । ବିଗତ ୧୩ ମାସ ମଧ୍ୟରେ ପେଟ୍ରୋଲ ଲିଟର ପିଛା ୨୫.୭୨ ଟଙ୍କା ଓ ଡିଜେଲ ୨୩.୯୩ ଟଙ୍କା କେନ୍ଦ୍ର ସରକାର ବଢ଼ାଇଥିଲାବେଳେ ଏହି ବର୍ଷର ଗତ ୫ମାସ ମଧ୍ୟରେ ତୈଳଦରକୁ ୪୩ ଥର ଦର ବୃଦ୍ଧି କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କଂଗ୍ରେସ କହିଛି ।