ଆସନ୍ତାକାଲିଠାରୁ ଖୋଲିବ ପାସପୋର୍ଟ ସେବା କେନ୍ଦ୍ର, ଦୈନିକ ଗ୍ରହଣ କରାଯିବ ୬୦ଟି ଆବେଦନ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭୁବନେଶ୍ୱର ଆଞ୍ଚଳିକ ପାସପୋର୍ଟ କେନ୍ଦ୍ର ଅଧୀନ ପାସପୋର୍ଟ ସେବାକେନ୍ଦ୍ର ଆସନ୍ତାକାଲିଠାରୁ ଖୋଲିବ । ଆବେଦନକାରୀମାନେ ଏହି କେନ୍ଦ୍ରରେ କିମ୍ବା ଅନଲାଇନରେ ଆବେଦନ କରିପାରିବେ । ବିଦେଶରେ ଚାକିରି କିମ୍ବା ଉଚ୍ଚଶିକ୍ଷା ପାଇଁ ଆବେଦନକାରୀଙ୍କୁ ଅଗ୍ରାଧିକାର ଦିଆଯିବ ବୋଲି କେନ୍ଦ୍ର ଅଧିକାରୀ ସୁଧାଂଶୁ ଶେଖର ମିଶ୍ର ସୂଚନା ଦେଇଛନ୍ତି ।
ସୂଚନା ଅନୁଯାୟୀ, ବର୍ଦ୍ଧିତ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଗତମାସ ୫ତାରିଖରୁ ରାଜ୍ୟ ସରକାର ତାଲାବନ୍ଦ ଘୋଷଣା କରିଥିଲେ । ସେହିଦିନଠାରୁ ଆଞ୍ଚଳିକ ପାସପୋର୍ଟ ସେବା କେନ୍ଦ୍ର ବନ୍ଦ ରହିଥିଲା । ଅନେକ ବିଦେଶୀ ସଂସ୍ଥାରେ କାମ କରୁଥିବା ବେଳେ ତାଲାବନ୍ଦ ପରେ ଘରେ ରହି କାମ କରୁଛନ୍ତି । ମାତ୍ର ଏଥିପାଇଁ ସମ୍ପୃକ୍ତ ସଂସ୍ଥା ପକ୍ଷରୁ ପାସପୋର୍ଟ ନମ୍ବର ଦେବା ବାଧ୍ୟତାମୂଳକ କରାଯାଇଛି । ସେହିପରି ଅନେକ ଛୁଟିରେ ଘରକୁ ଆସିଥିଲା ବେଳେ ସେମାନଙ୍କ ପତ୍ନୀ ଓ ପିଲା ବିଦେଶରେ ରହିଛନ୍ତି । ଏହାଛଡା ବିଦେଶରେ ପାଠପଢୁଥିବା ଛାତ୍ରଛାତ୍ରୀମାନେ ମଧ୍ୟ ପାସପୋର୍ଟ ପାଇଁ ଆସି ନିରାଶରେ ଫେରୁଥିଲେ । ଏହାକୁ ଦୃଷ୍ଟିରେ ରଖି କାର୍ଯ୍ୟାଳୟ ପକ୍ଷରୁ ପାସପୋର୍ଟ ସେବାକେନ୍ଦ୍ର ଖୋଲିବା ପାଇଁ ରାଜ୍ୟ ସରକାରଙ୍କ ଅନୁମତି ଲୋଡାଯାଇଥିଲା । ଏଥିପାଇଁ ରାଜ୍ୟ ସରକାର ଅନୁମତି ଦେଇଥିବା ଜଣାପଡିଛି । ଦୈନିକ ଏଠାରେ ୬୦୦ ଆବେଦନ ପାସପୋର୍ଟ ଦିଆଯିବାର ବ୍ୟବସ୍ଥା ଥିଲା ବେଳେ ବର୍ତ୍ତମାନ କ୍ଷମତାର ମାତ୍ର ୧୦ ପ୍ରତିଶତ ପାସପୋର୍ଟ ପ୍ରଦାନ କରାଯିବ ବୋଲି ଜଣାପଡିଛି । ଦୈନିକ ୬୦ଟି ଆବେଦନ ଗ୍ରହଣ କରାଯିବ । ଯେଉଁଥିରେ ୫୦ଟି ସାଧାରଣ ଆବେଦନ ଓ ବାକି ୧୦ଟି ତତକାଳ ଆଧାରରେ ପ୍ରଦାନ କରାଯିବ ବୋଲି ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି ।