ବ୍ରିକ୍ସ ବୈଠକରେ ୱାଙ୍ଗଙ୍କ ବୟାନ, କୋଭିଡ ଯୁଦ୍ଧରେ ଭାରତ ସହ ଛିଡା ହୋଇଛି ଚୀନ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମହାମାରୀ କରୋନା ସଂକଟର ମୁକାବିଲା କରୁଥିବା ଭାରତ ସହ ଛିଡା ରହିଥିବା ନେଇ ନିଜର ପ୍ରତିବଦ୍ଧତାକୁ ଦୋହରାଇଛି ଚୀନ। ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି କହିଛନ୍ତି, ଚୀନ ସହ ବ୍ରିକ୍ସର ସମସ୍ତ ସଦସ୍ୟ ଦେଶ କୋଭିଡ ମହାମାରୀର ଦ୍ୱିତୀୟ ଲହରୀ ବିରୋଧରେ ଚାଲିଥିବା ଯୁଦ୍ଧରେ ଭାରତକୁ ସମର୍ଥନ କରିବା ସହ ସହଯୋଗର ହାତ ବଢାଇବେ।
ବ୍ରିକ୍ସ ଦେଶର ବୈଦେଶିକ ମନ୍ତ୍ରୀ ବୈଠକରେ ୱାଙ୍ଗ ୟି କହିଛନ୍ତି, କରୋନାର ନୂଆ ଲହରୀରର ସାମ୍ନା କରୁଥିବା ଭାରତ ପାଇଁ ପୁନର୍ବାର ନିଜର ସମ୍ବେଦନ ପ୍ରକଟ କରୁଛୁ। ଏହି କଠିନ ପରିସ୍ଥିତିରେ ଚୀନ କେବଳ ଭାରତ ସହ ନାହିଁ, ବରଂ ସମସ୍ତ ବ୍ରିକ୍ସ ଦେଶ ସହ ଛିଡା ହୋଇଛି। ଯେଉଁଠି ଭାରତର କଥା ଆସୁଛି, ସେଠି ଚୀନ ସହ ବ୍ରିକ୍ସର ସମସ୍ତ ସହଯୋଗୀ ଦେଶ କୌଣସି ବି ସମୟରେ ସହଯୋଗ କରିବାକୁ ପ୍ରସ୍ତୁତ ଅଛନ୍ତି। ଭାରତ ନିଶ୍ଚିତ ଭାବରେ ମହାମାରୀରୁ ମୁକୁଳିବ ବୋଲି କହିଛନ୍ତି ଚୀନ ବୈଦେଶିକ ମନ୍ତ୍ରୀ। ବ୍ରିକ୍ସ ବିଶ୍ୱରେ ଦ୍ରୁତ ଗତିରେ ଆଗକୁ ବଢୁଥିବା ଅର୍ଥ ବ୍ୟବସ୍ଥାର ଏ ଶକ୍ତିଶାଳୀ ସମୂହ। ଏଥିରେ ବ୍ରାଜିଲ, ଋଷ, ଭାରତ, ଚୀନ ଓ ଦକ୍ଷିଣ ଆଫ୍ରିକା ସାମିଲ ଅଛନ୍ତି। ବ୍ରିକ୍ସର ଉଦ୍ଦେଶ୍ୟ ହେଉଛି ଶାନ୍ତି, ନିରାପତ୍ତା, ବିକାଶ ଏବଂ ସହଯୋଗକୁ ପ୍ରୋତ୍ସାହିତ କରିବା। ଭିଡିଓ କନଫରେନ୍ସିଂ ଜରିଆରେ ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଏହି ବୈଠକର ଅଧ୍ୟକ୍ଷତା କରିଥିଲେ।