ରେଳବାଇ କର୍ମଚାରୀଙ୍କ ଘରୁ ୫୭ ହଜାର ନକଲି ଟଙ୍କା ଠାବ, ଜଣେ ଗିରଫ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ନକଲି ନୋଟ କାରବାରରେ ସମ୍ପୃକ୍ତ ଥିବା ଜଣେ ରେଳବାଇ କର୍ମଚାରୀଙ୍କୁ ଆଜି ବ୍ରଜରାଜନଗର ପୁଲିସ ଗରିଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ଜଣକ ବ୍ରଜରାଜନଗର ଅଞ୍ଚଳରେ ଏକ ଭଡ଼ା ଘରେ ରହୁଥିବା ରେଳବାଇ କର୍ମଚାରୀ ରମନ କୁମାର ରଜକ(୩୨)। ପୁଲିସ ରମନଙ୍କୁ ଗିରଫ କରିବା ସହ ତାଙ୍କ ଠାରୁ ୫ପିବି୪୧୭୭୮୪ ନମ୍ବର ବିଶିଷ୍ଟ ୫୨ଟି ଏବଂ ୮ଟିଏନ୧୫୭୨୦୧ ନମ୍ବର ବିଶିଷ୍ଟ ୬୨ଟି ମୋଟ ୧୧୪ଟି ନକଲି ୫ଶହ ଟଙ୍କିଆ ନୋଟ ଜବତ କରିଥିବା ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ବିକାଶ ଚନ୍ଦ୍ର ଦାସ ସୂଚନା ଦେଇଛନ୍ତି। ମିଳିଥିବା ରିପୋର୍ଟ ମୁତାବିକ, ରମନ ଏହି ନକଲି ଟଙ୍କା ବିଲାସପୁରରେ ରହୁଥିବା ତା’ର ସମ୍ପର୍କୀୟ ମାଧ୍ୟମରେ ଆଣି ସ୍ଥାନୀୟ ଅଞ୍ଚଳରେ ପ୍ରଚଳନ କରିବା ପାଇଁ ଯୋଜନା କରିଥିଲା। ଏବିଷୟରେ ଖବର ପାଇ ଝାରସୁଗୁଡ଼ା ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ବ୍ରଜରାଜନଗର ଏସଡିପିଓ ଦିଲ୍ଲୀପ ଦାସ, ଥାନାଧିକାରୀ ନଳିତା ମୋଦୀ ଓ ସବଇନ୍ସପେକ୍ଟର ପିକେ ସ୍ୱାଇଁ ରମନ ରହୁଥିବା ଘରେ ଚଢ଼ଉ କରି ନକଲି ଟଙ୍କା ସହ ତାଙ୍କୁ ଗିରଫ କରିଛନ୍ତି। ତେବେ ବିଲାସପୁରରୁ ରମନକୁ ନକଲି ଟଙ୍କା ଦେଉଥିବା ଗ୍ୟାଙ୍ଗର ସମ୍ପର୍କ ମହାରାଷ୍ଟ୍ର୍ରର ନାଗପୁରର ଏକ ଗ୍ୟାଙ୍ଗ ସହିତ ଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ଏହି ନକଲି ନୋଟ ବ୍ୟାପାର କରୁଥିବା ସମ୍ପୂର୍ଣ୍ଣ ଗ୍ୟାଙ୍ଗକୁ ଧରିବା ପାଇଁ ପୁଲିସ ଅଧିକ ତଦନ୍ତ ଜାରି ରଖିଥିବା ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ବିକାଶ ଚନ୍ଦ୍ର ଦାସ ସୂଚନା ଦେଇଛନ୍ତି। ତେବେ ରମନ ନକଲି ଟଙ୍କା କାରବାର କରି ଅଧିକ ଲାଭାନ୍ୱିତ ହେବା ସହ ସେ ନେଇଥିବା ଏକ ଋଣକୁ ସୁଝିବା ପାଇଁ ଏପରି କରିଥିବା ପୁଲିସ ଆଗରେ ପ୍ରକାଶ କରିଥିବା ଶ୍ରୀ ଦାସ ସୂଚନା ଦେଇଛନ୍ତି।
ପ୍ରକାଶଯୋଗ୍ୟ, ରମନଙ୍କ ବାପା ଜଣେ ରେଳବାଇ କର୍ମଚାରୀ ଥିଲେ। ତାଙ୍କ ମୃତ୍ୟୁ ପରେ ରମନଙ୍କୁ ରେଳବାଇରେ ଚାକିରି ମଳିଥିଲା। ରମନ ବ୍ରଜରାଜନଗର ରେଳ ଷ୍ଟେସନରେ କିରାଣି ଭାବରେ କାମ କରିବା ସହ ଚାନ୍ଦିନିଚୌକରେ ଏକ ଭଡ଼ା ଘର ନେଇ ରହୁଥିଲେ।

Leave a comment