ଗୁଳି ଚୋଟରେ ଅମୃତସର ସୀମାନ୍ତରେ ପାକିସ୍ତାନୀ ଚୋରା-ଚାଲାଣକାରୀ ନିହତ, ୨୨ କିଲୋ ହେରୋଇନ୍ ଓ ୨ଟି ଏକେ-୪୭ ବନ୍ଧୁକ ଜବତ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବୁଧବାର ପ୍ରତ୍ୟୁଷରେ ଅମୃତସର ଜିଲ୍ଲା ଅଞ୍ଜଲା ସବ୍ଡିଭିଜନ୍ ଅନ୍ତର୍ଗତ ଭାରତ-ପାକିସ୍ତାନ ସୀମାନ୍ତବର୍ତ୍ତୀ କାକ୍କର୍ ବର୍ଡର୍ ଆଉଟ୍ପୋଷ୍ଟ୍ ପାଖ କଣ୍ଟକିତ-ତାରବାଡ଼ ସେପଟରେ ଜଣେ ପାକିସ୍ତାନୀ ଚୋରାଚାଲାଣକାରୀଙ୍କୁ ଗୁଳି ମାରି ହତ୍ୟା କରାଯାଇଛି। ସେଠାରୁ ୨୨ କିଲୋ ହେରୋଇନ୍ ଏବଂ ୨ଟି ଏକେ-୪୭ ରାଇଫଲ୍ ମଧ୍ୟ ଜବତ କରାଯାଇଛି। ବର୍ଡର୍ ସିକ୍ୟୁରିଟି ଫୋର୍ସ (ବିଏସ୍ଏଫ୍) ଏବଂ ଅମୃତସର ଗ୍ରାମୀଣ ପୁଲିସର ଏହି ମିଳିତ ଅଭିଯାନରେ ଏକେ ସିରିଜ୍ର ୪ଟି ମାଗାଜିନ୍, ଗୋଟିଏ ମୋବାଇଲ୍ ଫୋନ୍ ଏବଂ ଏକ ପ୍ଲାଷ୍ଟିକ୍ ପାଇପ୍ ଉଦ୍ଧାର କରାଯାଇଛି। ଏହି ପାଇପ୍ ମଧ୍ୟ ଦେଇ ଚୋରା ଚାଲାଣକାରୀମାନେ ବାଡ଼ ଏପାଖକୁ ସାମଗ୍ରୀଗୁଡ଼ିକୁ ପଠାନ୍ତି।
ପାକିସ୍ତାନୀ ପ୍ରତିପକ୍ଷଙ୍କ ଜରିଆରେ ଆସୁଥିବା ଏହି ଚୋରା ସାମଗ୍ରୀଗୁଡ଼ିକ ପାଇବାରେ ସହାୟତା କରୁଥିବା ଦୁଇଜଣ ଭାରତୀୟ ନାଗରିକଙ୍କୁ ମଧ୍ୟ ପୁଲିସ ଚିହ୍ନଟ କରିଛି। ସେମାନେ ହେଉଛନ୍ତି ଗୁରଦାସପୁର ଜିଲ୍ଲା ଅନ୍ତର୍ଗତ ଗତ୍ତି ରାଜୋକ ଗାଁ’ର ଜଗଦୀଶ ଭୁରା ଏବଂ ଯଶପାଲ୍ ସିଂହ। ପୁଲିସ କହିବା ଅନୁସାରେ, ସମ୍ପ୍ରତି ବେଲ୍ଜିଅମ୍ରେ ବାସ କରୁଥିବା ଭୁରା ଭାରତରେ ଚାଲିଥିବା ଆଙ୍କବାଦୀ କାର୍ଯ୍ୟକଳାପରେ ସମ୍ପୃକ୍ତ। ଦୁହେଁ ପାକିସ୍ତାନର ‘ଆଇଏସ୍ଆଇ’ ସହ ସମ୍ପର୍କ ରଖିଛନ୍ତି।