ଆଜି ଆସୁଛନ୍ତି ଉପରାଷ୍ଟ୍ରପତି
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ୨ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଉପରାଷ୍ଟ୍ରପତି ଏମ୍ ଭେଙ୍କିଆ ନାଇଡ଼ୁ। ପ୍ରଥମ ଦିନରେ କଟକରେ ଅନୁଷ୍ଠିତ ହେବାକୁ ଥିବା ସାରଳା ସାହିତ୍ୟ ସଂସଦର ୪୦ତମ ବାର୍ଷିକ ଉତ୍ସବରେ ସେ ମୁଖ୍ୟଅତିଥି ଭାବେ ଯୋଗଦାନ କରିବେ। ୩ତାରିଖ ରେ ଉତ୍କଳ ବିଶ୍ୱବିଦ୍ୟାଳୟର ୫୦ତମ ସମାବର୍ତ୍ତନ ଉତ୍ସବରେ ଶ୍ରୀ ନାଇଡ଼ୁ ଦୀକ୍ଷାନ୍ତ ଅଭିଭାଷଣ ପ୍ରଦାନ କରିବେ।
ସୂଚନା ଅନୁଯାୟୀ, ଶ୍ରୀ ନାଇଡୁ ଶୁକ୍ରବାର ସକାଳ ୯ଟା ୪୫ରେ ହାଇଦ୍ରାବାଦ ବିମାନ ବନ୍ଦରରୁ ଏଆଇଏଫ୍ ସ୍ୱତନ୍ତ୍ର ଏୟାରକ୍ରାଫ୍ଟ ବିବିଜେରେ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିବେ। ପୂର୍ବାହ୍ଣ ୧୧ଟା ୧୫ରେ ସ୍ଥାନୀୟ ବିଜୁପଟ୍ଟନାୟକ ଆନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିବେ। ସେଠାରେ ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇବାର କାର୍ଯ୍ୟକ୍ରମ ରହିଛି। ୧୧ଟା ୨୦ରେ ସେ ବିମାନ ବନ୍ଦରରୁ ସିଧା ରାଜଭବନ ଅଭିମୁଖେ ବାହାରିବେ। ବିମାନ ବନ୍ଦରରୁ ବାହାରିବା ପରେ ସ୍ୱତନ୍ତ୍ର କାରକେଡ ବ୍ୟବସ୍ଥା କରାଯାଇଛି। ଅପରାହ୍ଣ ୪ଟା ୪୫ରେ କଟକ ଗସ୍ତ କରିବେ। ୫ଟା ୨୦ରେ କଟକ ସାରଳା ଭବନରେ ପହଞ୍ଚିବେ। ସଂଧ୍ୟା ୫ଟା ୩୦ରୁ ୬ଟା ୩୦ ପର୍ଯ୍ୟନ୍ତ ସାରଳା ସାହିତ୍ୟ ସଂସଦର ୪୦ତମ ବାର୍ଷିକ ଉତ୍ସବ ଏବଂ ଆଦିକବି ସାରଳା ଦାସଙ୍କ ୬୦୦ତମ ଜନ୍ମବାର୍ଷିକୀ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେବେ। ସେଠାରୁ ଫେରିବା ପରେ ସେ ରାଜଭବନରେ ରାତ୍ରିଯାପନ କରିବେ। ସେହିପରି ୩ତାରିଖ ଶନିବାର ସକାଳ ୧୦ଟା ୧୦ରେ ରାଜଭବନରୁ ବାହାରି ବାଣୀବିହାର ଯିବେ। ୧୦ଟା ୨୦ରେ ଉତ୍କଳ ବିଶ୍ୱବିଦ୍ୟାଳୟରେ ପହଞ୍ଚିବେ। ୧୦ଟା ୩୦ରୁ ୧୧ଟା ୩୦ ପର୍ଯ୍ୟନ୍ତ ବିଶ୍ୱବିଦ୍ୟାଳୟର ୫୦ତମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଉପ ରାଷ୍ଟ୍ରପତି ଶ୍ରୀ ନାଇଡ଼ୁ ସଂଧ୍ୟାରେ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବାର କାର୍ଯ୍ୟସୂଚୀ ପ୍ରସ୍ତୁତ ହୋଇଛି।