ଦିନରେ ସାରି ଦିଅନ୍ତୁ କାମ, ଆଜି ରାତିରୁ ନାଇଟ୍ କର୍ଫ୍ୟୁ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଦେଶର ଅନେକ ରାଜ୍ୟରେ କରୋନା ସଂକ୍ରମଣର ଦ୍ଵିତୀୟ ଲହର ଦେଖିବାକୁ ମିଳିଛି। ଓଡିଶାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ି ଥିବାରୁ ଓଡିଶାକୁ ପୁଣି ଥରେ ଫେରିଛି ନାଇଟ୍ କର୍ଫ୍ୟୁ। ମାଲକାନଗିରିରେ ନାଇଟ୍ କର୍ଫ୍ୟୁ ଘୋଷଣା ହୋଇଛି। ଦୈନିକ ରାତି ୯ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟୁ ବଳବତ୍ତର ରହିବ। ଏହା ମାର୍ଚ୍ଚ ୨୩ରୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଲାଗୁ ରହିବ। ଏ ନେଇ ସୋମବାର ଘୋଷଣା କରିଛନ୍ତି ମାଲକାନଗିରି ଜିଲ୍ଲାପାଳ। ଦୋଳ ଏବଂ ବଡଯାତ୍ରାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଏହି ନିଷ୍ପତ୍ତି ନେଇଛନ୍ତି।
ସୂଚନାଯୋଗ୍ୟ, ସର୍ବସାଧାରଣ ସ୍ଥାନରେ ଦୋଳ, ହୋଲି ପର୍ବ ପାଳନ ଉପରେ ଜିଲ୍ଲା ପ୍ରଶାସନ କଟକଣା ଲଗାଇଛନ୍ତି। ଏପରିକି କୋଭିଡ୍ ଗାଇଡ୍ଲାଇନ୍ ମାନି ୫୦ ଜଣଙ୍କୁ ନେଇ ଦୋଳ ମେଳଣ କରାଯିବ। ସର୍ବସାଧାରଣ ସ୍ଥାନରେ ସର୍ବାଧିକ ୨୦୦ ଲୋକରେ ବଡଯାତ୍ରା ଆୟୋଜନ ହେବ। ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ବଜାୟ ରଖି ବଡଯାତ୍ରା ପାଳନ ହେବ ବୋଲି ଜିଲ୍ଲାପାଳ କହିଛନ୍ତି। ୨୦୨୧ରେ ରାଜ୍ୟରେ ପ୍ରଥମ ଥର ମାଲକାନଗିରିରେ ନାଇଟ୍ କର୍ଫ୍ୟୁ ଲାଗୁ ହୋଇଛି। ଏହି କଟକଣା ମାର୍ଚ୍ଚ ୨୩ରୁ ମାର୍ଚ୍ଚ ୩୧ ରାତି ୧୧ଟା ୫୯ ପର୍ଯ୍ୟନ୍ତ ଲାଗୁ ହେବ।