ଢାବା ମ୍ୟାନେଜରଙ୍କୁ ଅପହରଣ ଉଦ୍ୟମ: ୨ ଗିରଫ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ୧୮ ନଂ ଜାତୀୟ ରାଜପଥ କଡ଼ ଏକ ଢାବାରୁ ମ୍ୟାନେଜରଙ୍କୁ ଅପହରଣ ଉଦ୍ୟମ କରିବା ଅଭିଯୋଗରେ ୨ଜଣଙ୍କୁ ପୁଲିସ ଗିରଫ କରିଛି । ବୁଧବାର ରାତି ପ୍ରାୟ ସାଢ଼େ ୯ଟାବେଳେ ବେତନଟୀ ଥାନା ତୁଳସୀଚଉରା ନିକଟସ୍ଥ ସ୍ୱସ୍ତିକ ପେଟ୍ରୋଲ ପମ୍ପ ନିକଟରେ ଥିବା ବିଷ୍ଣୁ ଢାବା (ପୂଜା ଢାବା)ର ମ୍ୟାନେଜର ତପନ କୁମାର ସାହୁ ବସିଥିବାବେଳେ କିଛି ଯୁବକ ଆସି ଯୁକ୍ତିତର୍କ ଓ ମାରପିଟ କରି ତାଙ୍କୁ ବଳପୂର୍ବକ ଉଠାଇ ନେଇଥିଲେ। ଏନେଇ ଢାବା ମାଲିକ ବିଷ୍ଣୁ ସାହୁ ବେତନଟୀ ଥାନାକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ବେତନଟୀ ଥାନା ଏଏସଆଇ ବେଦପ୍ରକାଶ ନନ୍ଦ ପହଞ୍ଚି ଅପହରଣକାରୀଙ୍କୁ ଧରିବା ପାଇଁ ପିଛାକରି ବାରିପଦା ବସ୍ ଷ୍ଟାଣ୍ଡରୁ ତପନଙ୍କୁ ଉଦ୍ଧାର କରି ବେତନଟୀ ଗୋଷ୍ଠୀ ସ୍ୱାସ୍ଥକେନ୍ଦ୍ରରେ ଭର୍ତ୍ତି କରାଇଥିଲେ । ଆଜି ଅଭିଯୁକ୍ତମାନଙ୍କୁ ସମ୍ପର୍କରେ ବିଶେଷ ସୂତ୍ରରୁ ଖବରପାଇ ବାରିପଦା ଟାଉନଥାନା ସିଭିଲସ୍କ୍ୱାର୍ଡ ପୁଲିସ ଶଙ୍ଖାଭଙ୍ଗାରୁ ସେମାନଙ୍କୁ ଠାବ କରିଥିଲା। ଅଭିଯୁକ୍ତମାନେ ଖସିଯିବାକୁ ଉଦ୍ୟମ କରୁଥିବାବେଳେ ଗ୍ରାମବାସୀଙ୍କ ସହଯୋଗରେ ଦୁଇଜଣଙ୍କୁ ପୁଲିସ ଧରିବାରେ ସକ୍ଷମ ହୋଇଥିଲା। ଏ ବାବଦରେ ବେତନଟୀ ଥାନା ଅଧିକରିଣୀ ମିନତୀ ବିଶ୍ୱାଳ ଏକ ପ୍ରେସମିଟ କରି ଏହା ଏକ ପ୍ରେମ ଜନିତ ଘଟଣା ବୋଲି କହିବା ସହ ଅନ୍ୟ ଅପରାଧୀଙ୍କୁ ଧରିବା ପାଇଁ ଚେଷ୍ଟା ଚାଲିଥିବା ସୂଚନା ଦେଇଥିଲେ।

Leave a comment