ଅଲ୍ଓ୍ଵାର୍ରେ ୪.୨ ତୀବ୍ର ଭୂମିକମ୍ପ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗୁରୁବାର ରାତିରେ ରାଜସ୍ଥାନରେ ସଂଘଠିତ ୪.୨ ତୀବ୍ରତାସମ୍ପନ୍ନ ମଧ୍ୟମ ଧରଣର ଭୂମିକମ୍ପ ଯୋଗୁଁ ଦିଲ୍ଲୀ-ଜାତୀୟ ରାଜଧାନୀ ଅଞ୍ଚଳରେ କମ୍ପନ ଅନୁଭୂତ ହୋଇଥିବା କଥା ‘ନ୍ୟାସ୍ନାଲ୍ ସେଣ୍ଟର୍ ଫର୍ ସିସ୍ମୋଲୋଜି’ କହିଛି। ଏହି ଭୂମିକମ୍ପର ଉତ୍ପତ୍ତିସ୍ଥଳ ହେଉଛି ଅଲ୍ଓ୍ଵାର୍। ଭୂକମ୍ପନ ଯୋଗୁଁ ଲୋକେ ଭୟଭୀତ ହୋଇ ଘରୁ ବାହାରି ଆସିଥିଲେ। ଏହି ଭୂମିକମ୍ପ ଯୋଗୁଁ କିଛି କ୍ଷୟକ୍ଷତି କିଂବା କେହି ମୃତାହତ ହୋଇଥିବା ଖବର ଏ ପର୍ଯ୍ୟନ୍ତ ମିଳିନାହିଁ। ରାତି ୧୧.୪୬ରେ ସଂଘଠିତ ଏହି ଭୂମିକମ୍ପର ତୀବ୍ରତା ୪.୨ ବୋଲି ରିକ୍ଟର୍ସ୍କେଲ୍ରୁ ଜଣାପଡ଼ିଛି। ହରିୟାଣା ଅନ୍ତର୍ଗତ ଗୁରୁଗ୍ରାମର ଦକ୍ଷିଣପଶ୍ଚିମ ଦିଗର ୪୮ କିଲୋମିଟର ଦୂରରେ ସୃଷ୍ଟ ଏହି ଭୂମିକମ୍ପ କେନ୍ଦ୍ରସ୍ଥଳର ଗଭୀରତା ଥିଲା ୭.୫ କିଲୋମିଟର୍।
ଭୂମିକମ୍ପର କମ୍ପନ ଦିଲ୍ଲୀ, ନଇଡ଼ା, ଗୁରୁଗ୍ରାମ ଏବଂ ଗାଜିଆବାଦର କେତେକ ଅଞ୍ଚଳରେ ଅନୁଭୂତ ହୋଇଥିବା କଥା ବିଭିନ୍ନ ଟୁଇଟର୍ ବ୍ୟବହାରକାରୀମାନେ ଲେଖିଛନ୍ତି। ଏ ମାସର ପ୍ରାରମ୍ଭରେ ଗୁଜରାଟର ଗିର ସୋମନାଥ ଜିଲ୍ଲାରେ ୧.୭ରୁ ୩.୩ ତୀବ୍ରତାବିଶିଷ୍ଟ ପ୍ରାୟ ୧୯ଟି ଭୂମିକମ୍ପ ସଙ୍ଘଠିତ ହୋଇଥିଲା। ଏଥିରେ ମଧ୍ୟ କୌଣସି କ୍ଷୟକ୍ଷତି ଏବଂ ଜନଜୀବନହାନୀ ହୋଇ ନ ଥିବା ଜଣାପଡ଼ିଥିଲା। ମୌସୁମୀ ବାୟୁ ପ୍ରବାହଜନିତ ମାତ୍ରାଧିକ ବୃଷ୍ଟିପାତ ଫଳରେ ଏତେ ଥର ଭୂମିକମ୍ପ ହୋଇଥିଲା ବୋଲି ଗାନ୍ଧୀନଗରସ୍ଥିତ ‘ଇନ୍ଷ୍ଟିଚ୍ୟୁଟ୍ ଅଫ୍ ସିସ୍ମୋଲୋଜିକାଲ୍ ରିସର୍ଚ’ର ଜଣେ ବରିଷ୍ଠ ଅଧିକାରୀ କହିଥିଲେ।