ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ: ଭାରତର ବଦଲା, ଟଳିଲେ ୮ ପାକିସ୍ତାନୀ ଯବାନ
ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଅସ୍ତ୍ରବିରତି ଉଲ୍ଲଂଘନ ପାକିସ୍ତାନ ସେନାକୁ ମହଙ୍ଗା ପଡ଼ିଛି। ଭାରତୀୟ ସେନାର ପାଲଟା କାର୍ଯ୍ୟାନୁଷ୍ଠାନରେ ୭ରୁ ୮ ଜଣ ପାକିସ୍ତାନୀ ଯବାନଙ୍କ ମୃତ୍ୟୁ ହୋଇଛି। ଏହି ମୃତସେନାଙ୍କ ମଧ୍ୟରେ ୨ରୁ ୩ ଜଣ ପାକିସ୍ତାନ ଆର୍ମି ସ୍ପେଶାଲ ସର୍ଭିସ ଗ୍ରୁପ(ଏସଏସଜି)ର ସଦସ୍ୟ ରହିଛନ୍ତି।
ଏଥିସହ ଭାରତୀୟ ସୁରକ୍ଷାକର୍ମୀଙ୍କ ଆକ୍ରମଣରେ ପାକିସ୍ତାନର ଏକାଧିକ ବଙ୍କର ଧ୍ୱଂସ ହୋଇଯାଇଛି। ସେହିପରି ସୀମାରେ ଥିବା ଆତଙ୍କୀ ଲଞ୍ଚ ପ୍ୟାଡ ଉପରେ ମଧ୍ୟ ଭାରତ ଆକ୍ରମଣ କରିଛି।
ସୂଚନା ଯୋଗ୍ୟ, ଆଜି ପାକିସ୍ତାନ ସେନା ପକ୍ଷରୁ ମଧ୍ୟାହ୍ନରେ ଉରି ଠାରୁ ଗୁରେଜ ସେକ୍ଟର ଯାଏ ଅସ୍ତ୍ରବିରତି ଉଲ୍ଲଙ୍ଘନ କରି ଆକ୍ରମଣ କରାଯାଇଥିଲା। କେରନ ସେକ୍ଟର ନିକଟରେ ପାକିସ୍ତାନ ଗୁଳି ମାଡ଼ କରି ଭାରତକୁ ଆତଙ୍କବାଦୀଙ୍କୁ ପଠାଇବାକୁ ପ୍ରୟାସ କରିଥିଲା। ହେଲେ ସୁରକ୍ଷାକର୍ମୀ ପାକିସ୍ତାନର ସବୁ ଉଦ୍ୟମକୁ ପଣ୍ଡ କରି ଦେଇଥିଲା। ଭାରତ ଓ ପାକିସ୍ତାନ ମଧ୍ୟରେ ଏହାକୁ ନେଇ ପ୍ରବଳ ଗୁଳି ବିନିମୟ ହୋଇଛି। ଏଥିରେ ଭାରତର ୩ ଜଣ ଯବାନ ସହିଦ ହୋଇଥିଲେ। ସେହିପରି ପାକିସ୍ତାନର ଗୁଳିମାଡ଼ରେ ସୀମାନ୍ତ ଗାଁରେ ରହୁଥିବା ୪ ଜଣ ସାଧାରଣଲୋକ ମଧ୍ୟ ପ୍ରାଣ ହରାଇଥିଲେ।