ପିଆଜ ପରେ ଆଳୁ ଦରରେ ଲାଗିଲାଣି ନିଆଁ
ଓଡ଼ିଶା ଫାଷ୍ଟ(ବ୍ୟୁରୋ):ପିଆଜ ପରେ ଆଳୁ ଦରରେ ଲାଗିଲାଣି ନିଆଁ। ଆଜି କେଉଁଠି ୪୨ ଟଙ୍କା ତ ଆଉ କେଉଁଠି ୪୫ ଟଙ୍କାରେ ବିକ୍ରି ହେଉଛି ଆଳୁ। କାର୍ତ୍ତିକ ମାସରେ ଘରକୁ ଆମିଷ ଆସୁନଥିବା ବେଳେ ପରିବା ଉପରେ ବେଶୀ ମାଡ଼। ହେଲେ କଞ୍ଚା ପରିବା ସବୁର ଦର ଯାହା, ସେଥିରେ ହାତ ମାରି ହେଉନି। ରାଜ୍ୟର ପ୍ରମୁଖ ପରିବା ମଣ୍ଡି କଟକ ଛତ୍ରବଜାରର ଖୁଚୁରା ବ୍ୟବସାୟୀଙ୍କ କହିବାନୁସାରେ ସେମାନଙ୍କୁ ଏବେ ୫୦ କିଲୋ ଆଳୁ ବସ୍ତା ପିଛା ୧୭୫୦ରୁ ୧୮୦୦ ଟଙ୍କା ପାଖାପାଖି କିଣିବାକୁ ପଡୁଛି। ତେଣୁ ୪୦ଟଙ୍କା ଉପରେ ନ ବିକିଲେ କ୍ଷତି ହିଁ କ୍ଷତି। ତେଣେ ବ୍ୟବସାୟୀ ସଂଘ ସଂପାଦକଙ୍କ କହିବା କଥା-ବର୍ଷା ଓ ବନ୍ୟା ଯୋଗୁ ଆସାମ ଓ ଝାଡ଼ଖଣ୍ଡରେ ଏବର୍ଷ ଆଳୁ ଫସଲକୁ ବ୍ୟାପକ କ୍ଷତି ଘଟିଛି। ଷ୍ଟକ କମ୍ ଅଛି, ଡିମାଣ୍ଡ ବଢୁଛି। ତେଣୁ ଯାହା ପାଖରେ ଆଳୁ ମହଜୁଦ୍ ଅଛି, ଉପର ମୁଣ୍ଡରେ ରେଟ୍ ଛାଡ଼ୁ ନାହାନ୍ତି। ଏବେ ଯାହା ଆଳୁ ଷ୍ଟକ ଅଛି, କେବଳ ବେଙ୍ଗଲରେ ହିଁ ଅଛି। ତା’ସାଙ୍ଗକୁ ବେଙ୍ଗଲ ଓ ଝାଡ଼ଖଣ୍ଡରେ ଯେଉଁ ନୂଆ ଆଳୁ ଲାଗିଛି, ତାହା ବଜାରକୁ ଆସୁ ଆସୁ ଡିସେମ୍ବର ହେବ। ନୂଆ ଆଳୁ ଆସିଲେ ଯାଇ ରେଟ କମିବାର ସମ୍ଭାବନା ରହିଛି।