ପୁଣି ବସିଲା କଙ୍ଗାରୁ କୋର୍ଟ : ନିର୍ଧୁମ୍‌ ପିଟିଲେ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ପ୍ରଶାସନ ପକ୍ଷରୁ ଅନେକ ଚେଷ୍ଟା ସତ୍ତ୍ୱେ ଏବେ ବି ଅନେକ ଗାଁରେ ବସୁଛି କଙ୍ଗାରୁ କୋର୍ଟ । ଆଉ କଙ୍ଗାରୁ କୋର୍ଟରେ ଯାହା ଫୈସଲା ହୁଏ ତାହା ହିଁ ପାଳନ କରାଯାଇଥାଏ । ଏମିତିକି କଙ୍ଗାରୁକୋର୍ଟର ନିଷ୍ପତ୍ତି ଯୋଗୁଁ ଅନେକ ଥର ଲୋକଙ୍କୁ ଗାଁରୁ ବଚ୍ଛନ୍ଦ ହୋଇଥିବା ଦେଖାଯାଇଛି। ସେହିଭଳି ଏକ ଘଟଣା ଏବେ ପୁଣି ସାମ୍ନାକୁ ଆସିଛି ଅନୁଗୁଳ ଜିଲ୍ଲାରୁ। ଏକ କଙ୍ଗାରୁ କୋର୍ଟର ଫୈସଲାକୁ ନେଇ ଅମାନବୀୟ କାଣ୍ଡ ସାମ୍ନାକୁ ଆସିଛି। ଅନୁଗୁଳ ଜିଲ୍ଲା ନାଲକୋ ନଗର ଥାନା ଅମନ୍ତପୁର ବସଲାସାହିରେ କଙ୍ଗାରୁକୋର୍ଟର ଫୈସଲା ଏବେ ସମସ୍ତଙ୍କୁ ଚକିତ କରିଛି। ଗାଁରେ ପାଇପ ଚୋରି ଅଭିଯୋଗରେ ଜଣେ ଯୁବକଙ୍କୁ ଦୋଷୀ ସାବ୍ୟସ୍ତ କରି ତାକୁ ଲଣ୍ଡା କରି ଗାଁ ଦାଣ୍ଡରେ ବୁଲାଇଥିବା ଦେଖାଯାଇଛି। ଖାଲି ସେତିକି ନୁହେଁ ଚୋରି ଅଭିଯୋଗରେ ଯୁବକଙ୍କୁ ନିର୍ଧୁମ୍‌ ମାଡ଼ ମରାଯିବା ସହ ତାଙ୍କୁ ନାନା ନିର୍ଯାତନା ମଧ୍ୟ ଦିଆଯାଇଛି। ଗାଁର କିଛି ଯୁବକ ଏଭଳି କାଣ୍ଡ ଭିଆଇଛନ୍ତି। ଖବରପାଇ ନାଲକୋ ଥାନା ପୋଲିସ ସଂପୃକ୍ତ ଯୁବକଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛି। ସେପଟେ ଘଟଣା ପରେ ଅଭିଯୁକ୍ତମାନେ ଫେରାର ହୋଇଯାଇଛନ୍ତି। ପୋଲିସ ଏହି ଘଟଣାର ତଦନ୍ତ ଜାରି ରଖିବା ସହ ଫେରାର ଅଭିଯୁକ୍ତଙ୍କୁ ଖୋଜୁଛି । ତେବେ ପୀଡ଼ିତ ଯୁବକ ଜଣକ ଜଣେ ଟ୍ରକ ହେଲପର ଭାବେ କାମ କରୁଥିବା ଜଣାପଡିଛି ।

Leave a comment