ଦୋକାନୀଙ୍କ କରୋନା ପରୀକ୍ଷା କରାଇବାକୁ ରାଜ୍ୟମାନଙ୍କୁ ପରାମର୍ଶ ଦେଲା କେନ୍ଦ୍ର

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ତେଜରାତି, ପରିବା ଓ ଫଳ ସମେତ ଅନ୍ୟ ଦୋକାନୀଙ୍କ କରୋନା ପରୀକ୍ଷା କରିବାକୁ କେନ୍ଦ୍ର ସରକାର ରାଜ୍ୟ ସରକାରମାନଙ୍କୁ କହିଛନ୍ତି । ଏମାନଙ୍କ ସଂସ୍ପର୍ଶରେ ପ୍ରତିଦିନ ଅନେକ ସାଧାରଣ ଲୋକ ଆସୁଥିବାରୁ ଏମାନେ ଯଦି ସଂକ୍ରମିତ ହେବେ ତେବେ ଅନେକ ଲୋକ ସଂକ୍ରମିତ ହେବେ। ଏଣୁ ଏମାନଙ୍କ କରୋନା ପରୀକ୍ଷା ଜରୁରୀ ବୋଲି ସରକାର ମନେ କରୁଛନ୍ତି। ଆଇସିଏମଏର ପକ୍ଷରୁ ଜାରି ଗାଇଡଲାଇନରେ ମଧ୍ୟ ଏହା ଉପରେ ଗୁରୁତ୍ୱ ଦିଆଯାଇଛି ।
ଏ ସଂପର୍କରେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୁଷଣ ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟ ସଚିବ ମାନଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତି । ନିଜ ପତ୍ରରେ ସେ ମଧ୍ୟ ଆମ୍ବୁଲାନ୍ସ ବ୍ୟବସ୍ଥାକୁ ଆହୁରି ସୁଦୃଢ କରିବା, ସେଥିରେ ଅକ୍ସିଜେନ ସିଲିଣ୍ଡର ରଖିବା ଆଦି ନିଶ୍ଚିତ କରିବାକୁ କହିଛନ୍ତି ।
ଦେଶରେ ନୂଆ ନୂଆ ଅଞ୍ଚଳରେ କରୋନା ମାମଲା ଦେଖାଯାଉଥିଲେ ମଧ୍ୟ ଅଧିକାଂଶ ମାମଲା ଅଳ୍ପ କିଛି ଜିଲ୍ଲାରେ କେନ୍ଦ୍ରୀଭୂତ ହୋଇ ରହିଛି। ଭାରତରେ କରୋନା ମୃତ୍ୟୁହାର ଅନ୍ୟ ଦେଶମାନଙ୍କ ତୁଳନାରେ ସର୍ବନିମ୍ନ ଥିଲେ ମଧ୍ୟ ସରକାର କରୋନା ଜନିତ ମୃତ୍ୟୁକୁ ଆହୁରି କମାଇବାକୁ ଗୁରୁତ୍ୱ ଦେଉଛନ୍ତି ବୋଲି ସେ କହିଛନ୍ତି।