ମତେ ଯେତେ ମାଠିବୁ ମାଠ, ଦେଖନ୍ତୁ ଭିଡ଼ିଓ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): କରୋନା ସଂକ୍ରମଣ ରୋକିବାକୁ ରାଜ୍ୟ ସରକାର ପ୍ରାଣମୂର୍ଚ୍ଚା ଉଦ୍ୟମ ଜରିରଖିଥିବା ବେଳେ କିଛି ଅମାନିଆ ବ୍ୟକ୍ତି ସରକାରୀ ନିର୍ଦ୍ଦେଶକୁ ଖାତିର ନକରି ନିଜ ମନମାନି ଜାରି ରଖିଛନ୍ତି । କରୋନା ସଂକ୍ରମଣ ଚେନ କୁ ରୋକିବାକୁ ଗତକାଲି ରାଜ୍ୟ ସରକାର ଭୁବନେଶ୍ୱର, କଟକ ଓ ଭଦ୍ରକ ସହରରେ ୪୮ ଘଣ୍ଟା ପାଇଁ ସଟଡାଉନ ଘୋଷଣା କରିଛନ୍ତି । ସରକାରଙ୍କ ତରଫରୁ ଘରୁ ବାହାରକୁ ନବହାରିବାକୁ ବାରମ୍ବାର ତାଗିଦ କରାଯାଇଥିଲେ ମଧ୍ୟ ପାଖାପାଖି ୨୦୦ଜଣ ଏହି ନିର୍ଦ୍ଦେଶର ଅବମାନନା କରିଥିବା ସୂଚନା ମିଳିଛି । ଭୁବନେଶ୍ୱରରେ ସଟଡାଉନ ନିୟମ ନମାନି ବୁଲୁଥିବାରୁ ଆଜି ୧୮୦ରୁ ଅଧିକ ଲୋକଙ୍କୁ ପୁଲିସ ଉଠାଇ ନେଇଛି ଓ ୪୫ ଜଣଙ୍କୁ ବାଧ୍ୟତାମୂଳକଭାବେ ୧୪ ଦିନିଆ କ୍ୱାରେନଟାଇନରେ ପଠାଇ ଦେଇଛି ପୋଲିସ । ଅପରପକ୍ଷରେ ରାଜଧାନୀର ବିଭିନ୍ନ ଛକ, ରାସ୍ତା ଓ ଗଳିରେ ଫୋର୍ସ ମୁତୟନ ହୋଇଛନ୍ତି ।
ସେହିପରି ଭଦ୍ରକ ଟାଉନ ପୁଲିସ ମଧ୍ୟ ୯ଜଣଙ୍କୁ ଗିରଫ କରିଥିବା ବେଳେ ୧୫ରୁ ଅଧିକଙ୍କୁ ଅଟକ ରଖିଛି । ଏମାନେ ସମସ୍ତେ ସରକାରଙ୍କ ନିୟମଙ୍କୁ ଅଣଦେଖା କରି ବିନା କାରଣରେ ବାହାରେ ବୁଲୁଥିଲେ । ତେବେ ରାଜଧାନୀର ମୁଖ୍ୟ ରାସ୍ତା ସହ, ସମସ୍ତ ଗଳି ରାସ୍ତା ଓ ବସ୍ତି ପାଇଁ ମଧ୍ୟ କଟକଣା ଲାଗୁ ହୋଇଛି। ତେଣୁ ଘରୁ ବାହାରିଲେ ବାଧ୍ୟତାମୂଳକ ଭାବେ କ୍ୱାରେଣ୍ଟାଇନ କେନ୍ଦ୍ରକୁ ପଠାଇ ଦିଆଯିବ ବୋଲି ଡିସିପି ଅନୁପ ସାହୁ କହିଛନ୍ତି ।
ଭୁବନେଶ୍ୱରରେ ପୁଲିସ କମିଶନର ସୁଧାଂଶୁ ଷଡଙ୍ଗୀ, ଡିସିପି ଅନୁପ ସାହୁ, ଡିସିପି ଟ୍ରାଫିକ ସାଗରିକା ନାଥଙ୍କ ସମେତ ବହୁ ବରିଷ୍ଠ ପୁଲିସ ଅଧିକାରୀ ପୁରା ସହରରେ ପଇଁନ୍ତରା ମାରିଥିଲେ । ବିନା କାରଣରେ ଘରୁ ବାହାରୁଥିବା ଲୋକଙ୍କୁ କାଡା ତାଗିଦ କରିବା ସହ ଲାଠି ମାଡ କରିଥିଲା ପୋଲିସ ।
ଭୁବନେଶ୍ୱର ମହାନଗର ସହ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳ ବାସୁଆଘାଇ, ଶିଶୁପାଳ, ଲିଙ୍ଗିପୁର, ରଣସିଂହପୁର, ମଳିପଡ଼ା, ଅନ୍ଧାରୁଆ, ଯାଁଳା, କଳାରାହାଙ୍ଗ, ରଘୁନାଥପୁର, ବରିମୁଣ୍ଡ, ଦାରୁଠେଙ୍ଗ, ଚନ୍ଦକା, ଧଉଳି, ତମାଣ୍ଡୋ, ସିଜୁଆ, ବାଳକାଟୀ, ପ୍ରତାପଶାସନ, ବାଲିଅନ୍ତା, ଜଗନ୍ନାଥପୁର ଓ ଜଟଣୀ ପ୍ରଧାନସାହି ଅଞ୍ଚଳକୁ ସଟଡାଉନରେ ସାମିଲ କରାଯାଇଛି । ରବିବାର ରାତି ୮ଟା ପର୍ଯ୍ୟନ୍ତ ଏହି ସଟଡାଉନ ବଳବତ୍ତର ରହିବ ।