ମହାପ୍ରଭୁଙ୍କ 545 କୋଟି ଘଟଣା, ବାଚସ୍ପତିଙ୍କ ଅଧ୍ୟକ୍ଷତାରେ 11 ଜଣିଆ ଗୃହ କମିଟି ଗଠିତ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ୟେସ ବ୍ୟାଙ୍କରେ ଥିବା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ 545 କୋଟି ଟଙ୍କାରେ ତଞ୍ଚକତା ହୋଇଥିବା ବିରୋଧୀ ସରକାରଙ୍କୁ ଘେରିଥିଲେ । ଏହି ଅଭିଯୋଗକୁ ନେଇ ବାଚସ୍ପତି ଡ. ସୂର୍ୟ୍ୟନାରାୟଣ ପାତ୍ର ଗୃହ କମିଟି ଘୋଷଣା କରିଛନ୍ତି। ସରକାରୀ ଦଳ ମୁଖ୍ୟସଚେତକ ପ୍ରମିଳା ମଲ୍ଲିକ ଗୃହକମିଟି ପ୍ରସ୍ତାବ ଆଗତ କରି କହିଥିଲେ ଯେ, ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଅର୍ଥ ଫେରାଇ ଆଣିବାପାଇଁ କମିଟି ଗଠନ କରାଯିବ। ଉକ୍ତ କମିଟି ଭାରତ ସରକାରଙ୍କ ସମେତ ରାଜ୍ୟପାଳ ଓ ଆରବିଆଇ ନିକଟରେ ଅର୍ଥ ଫେରାଇବାପାଇଁ ଦାବିପତ୍ର ରଖିବ।

ଏହାପରେ ବାଚସ୍ପତି ଡ. ପାତ୍ର ଗୃହ କମିଟି ଘୋଷଣା କରିଥିଲେ। ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ କମିଟିରେ 11 ଜଣ ସଭ୍ୟ ରହିଛନ୍ତି। ସେଥିରେ ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାୟକ, ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମକେଶରୀ ଆରୁଖ, ସରକାରୀଦଳ ମୁଖ୍ୟସଚେତକ ପ୍ରମିଳା ମଲ୍ଲିକ, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର, ବିଧାୟକ ଦେବୀପ୍ରସାଦ ମିଶ୍ର, ବିଧାୟକ ଲକ୍ଷ୍ମଣ ମୁଣ୍ଡା, ବିଧାୟକ ତାରାପ୍ରସାଦ ବାହିନୀପତି, ବିଧାୟକ ଅତନୁ ସବ୍ୟସାଚୀ ନାୟକ, ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ, ବିରୋଧୀଦଳ ମୁଖ୍ୟସଚେତକ ମୋହନ ମାଝୀ ଓ ସରକାରୀଦଳ ସଭ୍ୟ ପ୍ରତାପ କେଶରୀ ଦେବ ପ୍ରମୁଖ ରହିଛନ୍ତି।

Leave a comment