ନାମାଙ୍କନ ପତ୍ର ଦାଖଲ କଲେ ନବୀନ ପଟ୍ଟନାୟକ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ନାମାଙ୍କନପତ୍ର ଦାଖଲ କରିଛନ୍ତି ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ । ଆଞ୍ଚଳିକ ଦଳ ଭାବେ ଓଡ଼ିଶାବାସୀଙ୍କ ବିପୁଳ ସମର୍ଥନ ପାଇ ଆସୁଥିବା ବିଜୁ ଜନତା ଦଳର ସର୍ବମାନ୍ୟ ନେତା ନବୀନ ପଟ୍ଟନାୟକ । ବିଜେଡ଼ିର କ୍ରମାଗତ ସଫଳତାର ରହସ୍ୟ ନିଜେ ନବୀନ ପଟ୍ଟନାୟକ । ତାଙ୍କ ନେତୃତ୍ୱରେ ବିଜେଡ଼ିର କ୍ରମାଗତ ସଫଳତାର ପାହଚ ଚଢି ଚାଲିଛି । ତେଣୁ ନବୀନଙ୍କ କ୍ଷେତ୍ରରେ ସଭାପତି ପଦ ପାଇଁ ବିଧିବଦ୍ଧ ନିର୍ବାଚନ ଏକ ଔପଚାରିକତା ବୋଲି ବିଚାର କରାଯାଉଛି । କ୍ରମାଗତ ସପ୍ତମଥର ପାଇଁ ନବୀନ ପଟ୍ଟନାୟକ ଦଳର ସଭାପତି ଆସନ ଅଳଙ୍କୃତ କରିବେ ।
ଆଜି ନାମାଙ୍କନପତ୍ର ଦାଖଲ କରିଛନ୍ତି ବିଜେଡ଼ି ସୁପ୍ରିମୋ । ସକାଳ ପ୍ରାୟ ୧୦ଟା ବେଳେ ଦଳୀୟ କାର୍ଯ୍ୟାଳୟକୁ ଆସି ନାମାଙ୍କନପତ୍ର ଦାଖଲ କରିଥିଲେ । ରାଜ୍ୟ ରିଟର୍ଣ୍ଣିଂ ଅଫିସର ପ୍ରତାପ କେଶରୀ ଦେବ ତାଙ୍କ ନାମାଙ୍କନପତ୍ର ଗ୍ରହଣ କରିଥିଲେ । ସଭାପତି ପଦର ନାମାଙ୍କନପରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପଦ ପାଇଁ ୮୦ ଜଣ ନାମାଙ୍କନପତ୍ର ଦାଖଲ କରିଥିଲେ । ଆସନ୍ତା ୨୬ ତାରିଖରେ କର୍ମକର୍ତ୍ତାଙ୍କ ନାଁ ବିଧିବଦ୍ଧ ଭାବେ ଘୋଷଣା କରାଯିବ ବୋଲି ରିଟର୍ଣ୍ଣିଂ ଅଫିସର ଶ୍ରୀ ଦେବ ସୂଚନା ଦେଇଛନ୍ତି ।
ଦଳର ସାଂଗଠନିକ ନିର୍ବାଚନର ଏହି ଅନ୍ତିମ ପର୍ଯ୍ୟାୟରେ ଆଜି ରାଜ୍ୟ କାର୍ଯ୍ୟାଳୟରେ ନେତାଙ୍କ ଭିଡ଼ ହୋଇଥିଲା । ସାଂସଦ, ବିଧାୟକ, ବିଭିନ୍ନ ଛାମୁଆ ସଂଗଠନର କର୍ମକର୍ତ୍ତା ଏବଂ ଦଳୀୟ ନେତୃବୃନ୍ଦ ସେଠାରେ ଉପସ୍ଥିତ ଥିଲେ । ସଭାପତି ନିର୍ବାଚନକୁ ନେଇ ସମସ୍ତଙ୍କ ମନରେ ଉତ୍ସାହ ଥିଲେ ମଧ୍ୟ ଜିଲ୍ଲା ସଭାପତି ତାଲିକାକୁ ନେଇ କିଛି ନେତାଙ୍କ ଅସନ୍ତୋଷ ବାରି ହୋଇପଡୁଥିଲା ।
ସୂଚନାଯୋଗ୍ୟ, ଦୁଇଦିନ ତଳେ ଘୋଷଣା ହୋଇଛି ବିଜେଡ଼ି ଜିଲ୍ଲା ସଭାପତି ତାଲିକା । ୩୩ଟି ସାଂଗଠନିକ ଜିଲ୍ଲା ମଧ୍ୟରେ ୩ ମନ୍ତ୍ରୀ, ଜଣେ ସାଂସଦ ଏବଂ ୭ ବିଧାୟକଙ୍କୁ ସଭାପତି କରାଯାଇଛି । ତାଲିକାରେ ୧୯ ଜଣ ନୂଆ ମୁହଁ ଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ବଲାଙ୍ଗୀର ରାଜା ଅନଙ୍ଗ ଉଦୟ ସିଂହଦେଓଙ୍କ ପରିବାର ହାତରୁ ଜିଲ୍ଲା ନେତୃତ୍ୱ କାଢ଼ି ନିଆଯାଇଛି ।

Leave a comment