ବୁନୁଙ୍କ କମିଲା ଦଳୀୟ ପାହିଆ !!

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟ ସାଧାରଣ ସମ୍ପାଦକରୁ ଭୁବନେଶ୍ୱର ଜିଲ୍ଲା ସଭାପତି । ପଦ ଉନ୍ନତି ନା ଅବନତି । ଗତକାଲି ରାତି ଅଧିଆ
ଯୁବ ସଙ୍ଗଠକ ତଥା ପୂର୍ବତନ କର୍ପୋରେଟର ଅମରେଶ ଜେନା(ବାଇଁଆ)ଙ୍କୁ ଏହି ପଦରୁ ହଟାଇ ବିଧାୟକ ଅନନ୍ତ ନାରାୟଣ ଜେନା(ବୁନୁ)ଙ୍କୁ ଦିଆଗଲା ଏହି ଦାୟିତ୍ୱ। ପୂର୍ବରୁ ଅନନ୍ତ ରାଜ୍ୟ ସାଧାରଣ ସମ୍ପାଦକ ଥିଲେ । ମାତ୍ର ତାଙ୍କୁ ରାଜ୍ୟରୁ କାଢି ଜିଲ୍ଲାରେ ସୀମିତ କରାଯାଇଛି । ଏହାକୁ ନେଇ ଦଳରେ ଅନନ୍ତଙ୍କ ପତିଆରା କମୁଥିବା ଚର୍ଚ୍ଚା ଜୋର ଧରିଛି । ଅନନ୍ତ ନିର୍ବାଚନ ସମୟରେ ଟିକେଟ ପାଇଁ ଅତ୍ୟଧିକ ଜିଦ୍ ଏହାର ମୁଖ୍ୟ କାରଣ ବୋଲି ରାଜନୈତିକ ମହଲରେ ଓ ଦଳରେ ଚର୍ଚ୍ଚା ହେଉଛି । ପୂର୍ବରୁ ଦୁଇଥର ଭୁବନେଶ୍ୱର ମେୟର ହୋଇଥିବା ବୁନୁ ସେକ୍ସ ସ୍କାଣ୍ଡାଲ ଓ ହତ୍ୟାରେ ଜଡିତ ଥିବା ଅଭିଯୋଗ ଆସିବା ପରେ ମଧ୍ୟ ନିଜ ପଦ ବଜାୟ ରଖିବାରେ ସମର୍ଥ ହୋଇଥିଲେ । ମେୟର ପଦରୁ ଯିବା ପରେ ବୁନୁଙ୍କୁ ବିଡ଼ିଏ ଅଧ୍ୟକ୍ଷ ପଦ ଦିଆଯାଇଥିଲେ ମଧ୍ୟ ସେ ଏଥିରେ ସନ୍ତୁଷ୍ଟ ହୋଇନଥିଲେ । ବିଧାୟକ ହେବାକୁ ଜିଦ୍ ଧରି ବସିଥିଲେ । ସେ ବିଡ଼ିଏ ପଦ କୁ ପ୍ରତ୍ୟାଖ୍ୟାନ କରିଥିଲେ । ପରେ ତାଙ୍କୁ ଖୁସି କରିବା ପାଇଁ ଦଳର ରାଜ୍ୟ ସାଧାରଣ ସମ୍ପାଦକ ପଦବୀ ଦିଆ ଯାଇଥିଲା । ତଥାପି ମଧ୍ୟ ବିଧାୟକ ଟିକେଟ ପାଇଁ ସେ ତାଙ୍କର ଜିଦ୍ ରେ ଅଟଳ ରହିଥିଲେ ଯାହାର ଫଳ ସ୍ୱରୂପ ବୁନୁଙ୍କ ଜିଦ୍ ଆଗରେ ମୁଣ୍ଡ ନୁଆଁଇଥିଲେ ମୁଖ୍ୟମନ୍ତ୍ରୀ ବୋଲି ତାଙ୍କ ସମର୍ଥକ କହିବୁଲୁଥିବା ଶୁଣିବାକୁ ମିଳେ । ଏହା ବ୍ୟତୀତ ଭୁବନେଶ୍ୱର ସାଙ୍ଗଠନିକ ସ୍ତରରେ ଶୁଣିବାକୁ ମିଳୁଛି ଯେ, ବୁନୁ ଏବେ ଜିଲ୍ଲା ସଭାପତି ତାଙ୍କ ହାତରେ ଚାରୋଟି ଯାକ ନିର୍ବାଚନ ମଣ୍ଡଳୀର ସାଙ୍ଗଠନିକ ଦାୟିତ୍ୱ ରହିବ କିନ୍ତୁ ଏହାଯେ ଆଗାମୀ ଦିନରେ ତାଙ୍କ ପାଇଁ ଚୂଡାନ୍ତ ପରୀକ୍ଷା ହେବାକୁ ଯାଉଛି ସେ କଥା ସ୍ପଷ୍ଟ ବାରି ହୋଇ ଯାଉଛି ।

ସେହିପରି ରାଜ୍ୟ ସାଧାରଣ ସମ୍ପାଦକ ପଦରେ ଥିଲାବେଳେ ବିଧାୟକ ବୁନୁ ଦଳର ଆଗଧାଡିର ନେତାଙ୍କ ସହ ରାଜ୍ୟ ସଙ୍ଗଠନ ଦାୟିତ୍ବ ବୁଝୁଥିଲେ କିନ୍ତୁ ବର୍ତ୍ତମାନ ତାଙ୍କୁ ଜିଲ୍ଲା ମଧ୍ୟରେ ସୀମିତ କରାଯାଇ ଦଳରେ ତାଙ୍କ ପତିଆରା କମାଇବାକୁ ଏହା ଏକ ପ୍ରୟାସ ବୋଲି ଶୁଣିବାକୁ ମିଳୁଛି ।

ଅପରପକ୍ଷରେ ବୁନୁ ରାଜ୍ୟ ସାଧାରଣ ସମ୍ପାଦକ ପଦରେ ଥିବା ବେଳେ ପୂର୍ବତନ କର୍ପୋରେଟର ଲିଟୁ ମହାସୁଆଁର ଭୁବନେଶ୍ୱର ଜିଲ୍ଲା ସଭାପତି ଦୌଡ଼ରେ ସାମିଲ ଥିଲେ । ଲିଟୁଙ୍କ ସମର୍ଥକ ଓ ବୁନୁଙ୍କ ସମର୍ଥକଙ୍କ ମଧ୍ୟରେ କିଛି ଖାସ ସମ୍ପର୍କ ନଥିବାରୁ ବୁନୁ ଭୁବନେଶ୍ୱର ଜିଲ୍ଲା ସଭାପତି ହେବାକୁ ନେଇ ବୁନୁଙ୍କ ପଲ୍ଲା ଭାରି ଥିବା ଓ ସେ ବାଜି ମାରି ନେଇଯାଇଥିବା ଦଳୀୟ କର୍ମୀଙ୍କ ମଧ୍ୟରେ ଚର୍ଚ୍ଚା ଜୋର ଧରିଛି ।

ସୂଚନା ଅନୁଯାୟୀ, ଗତ ସାଧାରଣ ନିର୍ବାଚନ ପୂର୍ବରୁ ଅମରେଶ ଜେନାଙ୍କୁ ଭୁବନେଶ୍ୱର ଜିଲ୍ଲା ବିଜେଡ଼ି ସାଙ୍ଗଠନିକ ଦାୟିତ୍ୱ ଦିଆଯାଇଥିଲା । ସେ ନିଜ ଦାୟିତ୍ୱ ଖୁଵ ନିଷ୍ଠାର ସହ ତୁଲାଇ ଥିଲେ । ସେ ସମୟରେ ଅସନ୍ତୁଷ୍ଟ କର୍ମୀ ଓ ନେତାଙ୍କୁ ମନାଇବାରେ ସକ୍ଷମ ହୋଇଥିଲେ ଅମରେଶ । ସେ ଦିନରାତି ଏକାକାର କରିଦେଇଥିଲେ ସଙ୍ଗଠନକୁ ସୁଦୃଢ କରିବାକୁ । ଏବଂ ଏହାର ଫଳ ସ୍ୱରୂପ ଭୁବନେଶ୍ୱର ର ଚାରୋଟି ଯାକ ଆସନ ବିଜେଡି ଜିତିଥିଲା । କିନ୍ତୁ ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ଅରୂପ ପଟ୍ଟନାୟକଙ୍କୁ ଆଶାନୁରୂପକ ଭୋଟ ମିଳି ନ ଥିଲା ।
ଅରୂପ ନିଜ ପରାଜୟ ପାଇଁ ମନ୍ତ୍ରୀ ଅଶୋକ ପଣ୍ଡା ଓ ବିଧାୟକ ପ୍ରାର୍ଥୀ ଅନନ୍ତ ନାରାୟଣ(ବୁନୁ)ଙ୍କୁ ଦାୟୀ କରି ଦଳୀୟ ଫୋରମରେ ସିଧାସଳଖ ଅଭିଯୋଗ କରିଥିଲେ । ବୁନୁଙ୍କ ବିରୁଦ୍ଧରେ ଷଡଯନ୍ତ୍ର ର ଅଭିଯୋଗ ଥାଇ ମଧ୍ୟ ତାଙ୍କୁ ବିଏମସି ନିର୍ବାଚନ ପୂର୍ବରୁ ଭୁବନେଶ୍ୱର ଜିଲ୍ଲା ସଭାପତି କରାଯିବା ନେଇ ଅନେକ ପ୍ରଶ୍ନ ଉଠୁଛି ।

Leave a comment