ପୁରୀ କଂଗ୍ରେସ ଭବନରେ ଦୁଇ ଗୋଷ୍ଠୀ ସଂଘର୍ଷ, ପିସିସିଙ୍କ ସାମ୍ନାରେ ହେଲା ଆକ୍ରମଣ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ପୁରୀ ଜିଲ୍ଲା କଂଗ୍ରେସ ଭବନରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିବା ସୂଚନା ମିଳିଛି । ଏହି ସଂଘର୍ଷ ପୁଣି ରାଜ୍ୟ ପ୍ରଭାରୀ ଜିତେନ୍ଦ୍ର ସିଂ, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ପରି ନେତାଙ୍କ ଉପସ୍ଥିତିରେ ଘଟିଥିବା ଅଭିଯୋଗ ହୋଇଛି। ଆକ୍ରମଣରେ ୩ ଜଣ ଛାତ୍ର ନେତା ଗୁରୁତର ଆହତ ହୋଇଛନ୍ତି। ତେବେ ଆକ୍ରମଣ କରିଥିବା ଦୁର୍ବୃତ୍ତମାନେ ବାହାର ଲୋକ ବୋଲି କଂଗ୍ରେସ ସଫେଇ ଦେଇଛି।
ସୂଚନାଯୋଗ୍ୟ, ଆଜି ଜିଲ୍ଲା କଂଗ୍ରେସ ଭବନରେ ସ୍ୱତନ୍ତ୍ର ଜିଲ୍ଲାସ୍ତରୀୟ କର୍ମଶାଳା ହୋଇଥିଲା। ଏଥିରେ ରାଜ୍ୟ ପ୍ରଭାରୀ ଜିତେନ୍ଦ୍ର ସିଂ, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ସମ୍ପାଦକ ରୁଦ୍ର ରାଜୁ, ଓ ବରିଷ୍ଠ ନେତା ପ୍ରଦୀପ ମାଝୀ ପ୍ରମୁଖ ଆସିଥିଲେ। ପରେ ବିଶାଳ ବାଇକ୍‌ ଶୋଭାଯାତ୍ରାରେ କର୍ମୀମାନେ ଅତିଥିଙ୍କୁ ଶ୍ରୀମନ୍ଦିର ଯାଏଁ ନେଇଯାଇଥିଲେ। ଅତିଥିମାନେ ମହାପ୍ରଭୁଙ୍କୁ ଦର୍ଶନ କରି କଂଗ୍ରେସ କାର୍ଯ୍ୟାଳୟକୁ ଯାଇଥିଲେ। ସେହି ସମୟରେ କଂଗ୍ରେସ କାର୍ଯ୍ୟାଳୟ ପରିସରରେ ଜଣେ ବ୍ୟକ୍ତିଙ୍କୁ ୨୦ରୁ ଅଧିକ ଦୁର୍ବୃତ୍ତ ଲୁହା ରଡ୍‌ ଓ ଅନ୍ୟାନ୍ୟ ମାରଣାସ୍ତ୍ରରେ ଆକ୍ରମଣ କରିଥିବା ଦେଖିବାକୁ ମିଳିଥିଲା। ତାଙ୍କୁ ବଞ୍ଚାଇବାକୁ ଯାଇ ଦୁର୍ବୃତ୍ତଙ୍କ ଆକ୍ରମଣ ଆଲୋକ ଦାସ, ସ୍ୱପ୍ନଜିତ ରାୟ ଓ ଆସୁତୋଷ ମିଶ୍ର ଗୁରୁତର ଆହତ ହୋଇଛନ୍ତି। ପୁଲିସ ସେମାନଙ୍କୁ ଉଦ୍ଧାର କରି ମେଡିକାଲ୍‌ରେ ଭର୍ତ୍ତି କରିଛି। ଅନ୍ୟପକ୍ଷରେ ଜଣେ ବ୍ୟକ୍ତିକୁ ପୁଲିସ ଅଟକ ରଖି ପୁଚରାଉଚରା କରୁଥିବା ଜଣାପଡ଼ିଛି ।

Leave a comment