ମୋଦି ଓ ମମତାଙ୍କ ମଧ୍ୟରେ ସର୍ମ୍ପକ ନିବିଡ ହେବାକୁ ଯାଉଛି !
ଓଡିଶା ଫାଷ୍ଟ(ବ୍ୟୁରୋ): ଲୋକସଭା ନିର୍ବାଚନ ପରେ ପ୍ରଥମଥର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ତାଙ୍କର ସବୁଠି ବଡ଼ ବିରୋଧୀ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୋଟିଏ ମଂଚରେ ଏକାଠି ହେବାକୁ ଯାଉଛନ୍ତି l ଆଜି କୋଲକତା ପୋର୍ଟ ଟ୍ରଷ୍ଟର ଏକ କାର୍ଯ୍ୟକ୍ରମରେ ଉଭୟ ନେତା ଏକାଠି ହେବେ ବୋଲି ତୃଣମୂଳ କଂଗ୍ରେସ ପକ୍ଷରୁ ସୂଚନା ମିଳିଛି । ଏଥିସହିତ ରାଜଭବନରେ ଉଭୟ ମଧ୍ୟରେ ବୈଠକ ହୋଇପାରେ ବୋଲି ବିଶେଷସୂତ୍ରରୁ ଜଣାପଡ଼ିଛି । ମମତାଙ୍କୁ ଏହି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ କେନ୍ଦ୍ର ଜାହାଜ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ମନସୁଖ ମଣ୍ଡଭୀୟ ବ୍ୟକ୍ତିଗତ ଭାବେ ରାଜ୍ୟ ସଚିବାଳୟଙ୍କୁ ଯାଇଥିଲେ । ଅପରାହ୍ନରେ ରାଜଭବନରେ ମୋଦି-ମମତା ଏକାଠି ଭେଟିବେ। ହେଲେ ଏହି ବୈଠକରେ କେଉଁ ପ୍ରସଙ୍ଗରେ ଦୁଇ ତୁଙ୍ଗ ନେତା ଆଲୋଚନା କରିବେ ତାହା ଜଣାପଡ଼ିନି। ଯାହାକି ଦେଶର ରାଜନୀତିକୁ ଜାଗ୍ରତ କରିଛି। ଏକଦା ପରସ୍ପରର ବିରୋଧୀ ଥିଲେ ଶିବସେନା ଏବଂ କଂଗ୍ରେସ। ହେଲେ ମହାରାଷ୍ଟ୍ରରେ ସରକାର ଗଢ଼ିବାକୁ ଯାଇ ଶିବସେନା-କଂଗ୍ରେସ ଏକାଠି ହୋଇ ସରକାର ଗଢ଼ିଛନ୍ତି। ଏବେ ମୋଦିଙ୍କ ସହ ମମତାଙ୍କର ଭେଟଘାଟ ପରେ ମମତା ନିଜ ଆଭିମୁଖ୍ୟରେ ପରିବର୍ତ୍ତନ କରିବେ କି? ଏ ନେଇ ଅନେକ ଚର୍ଚ୍ଚା ଚାଲିଛି। ଅନ୍ୟପଟେ ଆଜି ପ୍ରଧାନମନ୍ତ୍ରୀ କୋଲକାତା ଆସୁଥିବାରୁ ଏହାକୁ ଦେଖି ସିଏଏ, ଏନଆରସିକୁ ପ୍ରସଙ୍ଗ କରି ବାମପନ୍ଥୀ, ଛାତ୍ରମାନେ ବିକ୍ଷୋଭ କରିବେ ବୋଲି ଜଣାପଡ଼ିଛି। ତେଣୁ ରାଜଭବନ ଓ ବିମାନ ବନ୍ଦର ରାସ୍ତାରେ ୧୪୪ ଧାରା ଜାରି କରାଯାଇଛି।