ଇରାକ ଉପରେ ଆମେରିକାର ଏୟାର ଷ୍ଟ୍ରାଇକ୍, କମାଣ୍ଡର କାସିମ୍ ସୁଲେମାନି ନିହତ
ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଇରାକ୍ର ବାଗଦାଦ ବିମାନବନ୍ଦରରେ ଆମେରିକା ପକ୍ଷରୁ ଶୁକ୍ରବାର ଡ୍ରୋନ୍ ଆକ୍ରମଣ ହୋଇଛି। ଏଥରେ ଇରାନର ରିଭୋଲ୍ୟୁଶନାରୀ ଗାର୍ଡ୍ସ ଫୋର୍ସ କମାଣ୍ଡର କାସିମ୍ ସୁଲେମାନି ନିହତ ହୋଇଛନ୍ତି। ଏହି ଆକ୍ରମଣରେ 8 ଜଣଙ୍କ ମୃତ୍ୟୁ ଘଟିଛି। ଏହି ଘଟଣା ପରେ ଆମେରିକା ଏବଂ ଇରାନ୍ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି। ଇରାନ ଆମେରିକାକୁ କଡ଼ା ଚେତାବନୀ ଦେବା ସହିତ ଏଥିପାଇଁ ବହୁମୂଲ୍ୟ ଦେବାକୁ ପଡ଼ିବ ବୋଲି ଶୁକ୍ରବାର ଧମକ ଦେଇଛି।
ଏହି ଡ୍ରୋନ ଆକ୍ରମଣ ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିର୍ଦେଶ ଦେଇଥିଲେ ବୋଲି ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ବିଦେଶରେ ଆମେରିକୀୟମାନଙ୍କ ସୁରକ୍ଷା ଲାଗି କାର୍ଯ୍ୟାନୁଷ୍ଠାନ ସ୍ବରୂପ ଇରାନର ସୁଲେମାନିକୁ ହତ୍ୟା କରିବାକୁ ଟ୍ରମ୍ପ ଆଦେଶ ଦେଇଥିବା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ସିରିୟା, ଲେବାନନ, ଜର୍ମାନୀ ଏବଂ ଭାରତରେ ବିଦେଶୀ ନେତାମାନଙ୍କୁ ହତ୍ୟା ଏବଂ ସେମାନଙ୍କ ଉପରେ ହେଉଥିବା ଆକ୍ରମଣ ପାଇଁ ଆମେରିକା ସୁଲେମାନିଙ୍କୁ ଦାୟୀ କରିଆସୁଥିଲା। ସୁଲେମାନିର ମୃତ୍ୟୁ ପରେ ଇରାନ ବିଦେଶ ମନ୍ତ୍ରୀ ଜାଭେଦ ଜରିଫ ଆମେରିକା ଉପରେ ଆକ୍ରମଣାତ୍ମକ ଢଙ୍ଗରେ ଚେତାବନୀ ଦେଇଛନ୍ତି।