ପେଟ୍ରୋଲ, ଡିଜେଲ ରେଡି ରଖ କହିଲେ ଲଗାଇବ ନିଆଁ, ଯାହା ହେବ ଦେଖାଯିବ: ପ୍ରଦୀପ ମାଝୀ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପୂର୍ବତନ ସାଂସଦ ପ୍ରଦୀପ ମାଝୀଙ୍କ ଏକ ଭାଇରଲ ଭିଡ଼ିଓକୁ ନେଇ ଚର୍ଚ୍ଚା ଜୋର ଧରିଛି । ଆଜି କଂଗ୍ରେସ ପକ୍ଷରୁ ନବରଙ୍ଗପୁର ଜିଲ୍ଲା ବନ୍ଦ ପାଳନ କରାଯାଉଥିବା ସମୟରେ ପ୍ରଦୀପ ମାଝୀ ଦଳୀୟ କର୍ମୀଙ୍କୁ ହିଂସାର ମାର୍ଗରେ ଯିବାକୁ କହୁଥବା ଶୁଣିବାକୁ ମିଳୁଛି । ଏହି ଭିଡିଓରେ ପ୍ରଦୀପ କହିଛନ୍ତି, “ପେଟ୍ରୋଲ, ଡିଜେଲ ରେଡି ରଖ କହିଲେ ଲଗାଇବ ନିଆଁ, ଯାହା ହେବ ଦେଖାଯିବ” ।
ସୂଚନା ଅନୁଯାୟୀ, ନାବାଳିକା ଗଣଦୁଷ୍କର୍ମ ଓ ହତ୍ୟାକୁ ନେଇ କଂଗ୍ରେସ ଦଳ ପକ୍ଷରୁ ନବରଙ୍ଗପୁର ବନ୍ଦ ଡାକରା ଦିଆଯାଇଥିବା ବେଳେ ବନ୍ଦ ସମୟରେ କର୍ମୀଙ୍କୁ ଖୋଲାଖୋଲି ଭାବେ ଫୋନ ଯୋଗେ ପ୍ରଦୀପ ମାଝୀ କହୁଛନ୍ତି, ନିର୍ଦ୍ଦେଶ ମିଳିବା ସଙ୍ଗେ ସଙ୍ଗେ ତୁରନ୍ତ ନିଆଁ ଲଗାଇ ଦେବ, ପରେ ଯାହା ହେବ ଦେଖାଯିବ ।
ଅପରପକ୍ଷରେ ଏହାର ପ୍ରତ୍ରିକିୟା ରଖିଛନ୍ତି ପ୍ରଦୀପ ମାଝୀ କହିଛନ୍ତି , ଶାନ୍ତିପୂର୍ଣ୍ଣ ଭାବେ ଆମେ ବନ୍ଦପାଳନ କରୁଥିଲୁ । କିନ୍ତୁ ଆମକୁ ନ୍ୟାୟ ମିଳିଲା ନାହିଁ । ସରକାରଙ୍କୁ ଆମେ ଚେତାବନୀ ଦେବାକୁ ଚାହୁଁଛୁ ଯଦି ନ୍ୟାୟ ନମିଳିଲେ ଆମେ ଆଇନକୁ ହାତକୁ ନେବୁ ବୋଲି ସେ ସ୍ପଷ୍ଟ କରିଦେଇଛନ୍ତି । ମହାତ୍ମାଗାନ୍ଧୀଙ୍କ ନୀତି ଆଦର୍ଶନରେ କଂଗ୍ରେସ ବିଶ୍ୱାସ କରେ । ହେଲେ ଦୁର୍ଭାଗ୍ୟଜନକ କଥା ହେଲେ ଅନେକ ଲଢ଼େଇ ପରେ ବି ଆମକୁ ନ୍ୟାୟ ମିଳିଲାନି । ଏଣୁ ସୁବାଷ ବୋଷଙ୍କ ନୀତି ଆପଣାଇବାକୁ ଆମେ ବାଧ୍ୟ ହେଉଛୁ ।
ସୂଚନାଯୋଗ୍ୟ, ଗତ ୧୪ ତାରିଖ ଦିନ ନବରଙ୍ଗପୁର ଜିଲ୍ଲାର କୋଷାଗୁମୁଡ଼ା ବ୍ଲକ ଅନ୍ତର୍ଗତ ଗୁମଣ୍ଡଳୀ ଗ୍ରାମର ବହୁଚର୍ଚ୍ଚିତ ନାବାଳିକା ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଜଡିତ ଦୋଷୀଙ୍କୁ ଶୀଘ୍ର ଗିରଫ ଦାବିରେ ପୂର୍ବତନ ସାଂସଦ ପ୍ରଦୀପ ମାଝୀଙ୍କ ନେତୃତ୍ୱରେ ଜିଲ୍ଲା କଂଗ୍ରେସ ତରଫରୁ ଆଜି ନବରଙ୍ଗପୁର ଜିଲ୍ଲା ବନ୍ଦ ପାଳନ କରାଯାଉଛି । ଘଟଣାକୁ ପାଖାପାଖି ଦୁଇ ସପ୍ତାହ ବିତି ଯାଇଥିଲେ ବି ପୀଡ଼ିତାଙ୍କ ପୋଷ୍ଟମର୍ଟମ ରିପୋର୍ଟ ଆସି ନ ଥିବା ଜଣାପଡ଼ିଛି। ଦୀର୍ଘ ଦିନ ବିତିଯାଇଥିଲେ ମଧ୍ୟ ଘଟଣାର ପ୍ରକୃତ ଦୋଷୀଙ୍କ ନିକଟରେ ପୁଲିସ ପହଞ୍ଚି ନ ପାରିବା ପୁଲିସ ତଦନ୍ତରେ ଅବହେଳା କରୁଥିବା ଅଭିଯୋଗ କରିଛି ଜିଲ୍ଲା କଂଗ୍ରେସ ।