ଘୋଷଣା ହେଲା ବିଜେପୁର ଉପନିର୍ବାଚନ ତାରିଖ, ପଢନ୍ତୁ କେବେ ହେବ ହରିଆନା ଓ ମହାରାଷ୍ଟ୍ରରରେ ନିର୍ବାଚନ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଓଡ଼ିଶାର ବରଗଡ଼ ଲୋକସଭା ଆସନ ଅନ୍ତର୍ଗତ ବିଜେପୁର ବିଧାନସଭା ଆସନ ପାଇଁ ଉପ-ନିର୍ବାଚନ ତାରିଖ ଘୋଷଣା କରିଛନ୍ତି ଦେଶର ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଅରୋରା । ଆସନ୍ତା ଅକ୍ଟୋବର ୨୧ ତାରିଖରେ ହେବ ବିଜେପୁର ଉପ-ନିର୍ବାଚନ ।

ସୂଚନା ଅନୁଯାୟୀ, ପଶ୍ଚିମ ଓଡ଼ିଶା ବାସୀଙ୍କ ଅନୁରୋଧ ରକ୍ଷାକରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ପାରମ୍ପରିକ ଆସନ ଗଞ୍ଜାମର ହିଞ୍ଜିଳି ସହ ବରଗଡ଼ର ବିଜେପୁର ଆସନରୁ ବିଜେଡ଼ି ପ୍ରାର୍ଥୀ ହୋଇଥିଲେ । ଉଭୟ ଆସନରୁ ଜିତିବା ପରେ ମୁଖ୍ୟମନ୍ତ୍ରୀ ବିଜେପୁର ଆସନ ତ୍ୟାଗ କରିଥିଲେ । ତେଣୁ ବିଜେପୁରରେ ଉପ-ନିର୍ବାଚନ ହେବା ଏକପ୍ରକାର ନିଶ୍ଚିତ ହୋଇଯାଇଥିଲା । ସେହିପରି ଅନ୍ୟ କିଛି ରାଜ୍ୟରେ ୬୪ଟି ବିଧାନସଭା ଆସନ ପାଇଁ ଉପନିର୍ବାଚନ ହେବାକୁ ଥିବାରୁ ଦେଶର ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଅରୋରା ଆସନ୍ତା ଅକ୍ଟୋବର ୨୧ ତାରିଖରେ ବିଜେପୁର ସହ ଅନ୍ୟ ସମସ୍ତ ୬୪ଟି ସ୍ଥାନରେ ଉପନିର୍ବାଚନ ତାରିଖ ସ୍ଥିର କରିଛନ୍ତି ।

ସେହିପରି ମୁଖ୍ୟ ନିର୍ବାଚନ କମିଶନ୍‌ଙ୍କ ସୂଚନା ଅନୁଯାୟୀ, ବିଜେପୁର ଉପ-ନିର୍ବାଚନ ପାଇଁ ସେପ୍ଟେମ୍ବର ୨୩ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ । ସେପ୍ଟେମ୍ବର ୩୦ ତାରିଖ ପ୍ରାର୍ଥିପତ୍ର ଦାଖଲ କରିବାର ଶେଷ ତାରିଖ ହେବ । ଅକ୍ଟୋବର ୧ ତାରିଖରେ ପ୍ରାର୍ଥିପତ୍ର ଯାଞ୍ଚ କରାଯିବ । ଅକ୍ଟୋବର ୩ ତାରିଖ ସୁଦ୍ଧା ପ୍ରାର୍ଥିପତ୍ର ପ୍ରତ୍ୟାହାର କରି ହେବ । ୨୧ରେ ହେବ ଭୋଟ ଗ୍ରହଣ ଓ ୨୪ ତାରିଖରେ ହେବ ଭୋଟ ଗଣତି ।

ଅପରପକ୍ଷରେ ନଭେମ୍ୱର ୨ରେ ହରିଆନା ଏବଂ ନଭେମ୍ୱର ୯ରେ ମହାରାଷ୍ଟ୍ର ବିଧାନସଭା କାର୍ଯ୍ୟକାଳ ଶେଷ ହେଉଛି । ହରିଆନା ଓ ମହାରାଷ୍ଟ୍ରରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ମଧ୍ୟ ଆଜି ତାରିଖ ଘୋଷଣା ହୋଇଛି । ଦେଶର ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଅରୋରା କହିଛନ୍ତି ଅକ୍ଚୋବର ୨୧ ତାରିଖରେ ଏହି ଦୁଇ ରାଜ୍ୟରେ ଭୋଟ ଗ୍ରହଣ ହେବ ଓ ୨୪ ତାରିଖରେ ଭୋଟ ଗଣତି ହେବ । ତେଣୁ ଏହି ଦୁଇ ରାଜ୍ୟରେ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଯାଇଛି । ମହାରାଷ୍ଟ୍ର ଓ ହରିଆଣାରେ ବିଧାନସଭା ନିର୍ବାଚନ ପାଇଁ ସେପ୍ଟେମ୍ବର ୨୭ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ । ପ୍ରାର୍ଥିପତ୍ର ଦାଖଲ କରିବାର ଅନ୍ତିମ ତାରିଖ ହେବ ଅକ୍ଚୋବର ୪ ତାରିଖ । ଅକ୍ଟୋବର ୫ ତାରିଖରେ ପ୍ରାର୍ଥିପତ୍ର ଯାଞ୍ଚ କରାଯିବ । ଅକ୍ଟୋବର ୭ ତାରିଖ ସୁଦ୍ଧା ପ୍ରାର୍ଥୀମାନେ ନାମାଙ୍କନ ପତ୍ର ପ୍ରତ୍ୟାହାର କରିପାରିବେ । ୧୯ ତାରିଖରେ ପ୍ରଚାର ଶେଷ ହେବ । 

Leave a comment