ସେଲ ଉତ୍ପାଦିତ ୨୫ ଶତକଡା ଲୁହାପଥର ଘରୋଇ ବଜାରରେ ଉପଯୋଗ ହେବ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଷ୍ଟିଲ୍ ଅଥୋରିଟି ଅଫ୍ ଇଣ୍ଡିଆ (ସେଲ) ଉତ୍ପାଦିତ ଲୁହାପଥରର ୨୫ ଶତକଡା ଘରୋଇ ବଜାରରେ ଉପଯୋଗ କରିବାକୁ ଖଣି ମନ୍ତ୍ରଣାଳୟକୁ ଅନୁମତି ପ୍ରଦାନ କରିଛି ସେଲ । ଏହି ନିଷ୍ପତ୍ତି ଦେଶର ଇସ୍ପାତ ଶିଳ୍ପର ବିକାଶ ପାଇଁ ଏକ ବଡ ପଦକ୍ଷେପ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ଏହି ଅନୁମତି ପାଇଁ ଅନେକ ଦିନରୁ ଶ୍ରୀ ପ୍ରଧାନ ପ୍ରୟାସ କରୁଆସିଥିଲେ । ଖଣି ମନ୍ତ୍ରଣାଳୟର ଏହି ଅନୁମତି ୨ ବର୍ଷ ପାଇଁ ବଳବତର ରହିବ । ଏହି ଅନୁମତି ଆଧାରରେ ଓଡିଶା, ଝାଡଖଣ୍ଡ ଓ ଛତିଶଗଡ ଭଳି ରାଜ୍ୟରେ ୭ ନିୟୁତ ଟନ୍ ଲୁହା ପଥରକୁ ରାଷ୍ଟ୍ରାୟତ ଉଦ୍ୟୋଗ ସହ ଘରୋଇ ବଜାରରେ ଉପଯୋଗ କରାଯାଇପାରିବ ।
ଏହା ସେଲର ଆବଶ୍ୟକତା ପୂରଣ କରିବା ସହ ଘରୋଇ ବଜାରର ଇସ୍ପାତ ଉତ୍ପାଦନକାରୀଙ୍କ ପାଇଁ ମଧ୍ୟ ଲାଭଦାୟକ ହେବ । ଅନ୍ୟ ଏକ ପୃଥକ ନିଷ୍ପତିରେ ସେଲ ପାଖରେ ଓଡିଶା, ଝାଡଖଣ୍ଡ ଓ ଛତିଶଗଡ ରାଜ୍ୟ ମାନଙ୍କରେ ଗଚ୍ଛିତ ଥିବା ୭୦ ନିୟୁତ ଟନ୍ ନିମ୍ନମାନର ଲୁହା ପାଇଁ ଏବଂ ଲୁହା ପଥରକୁ ବିକ୍ରି କରିବା ପାଇଁ ଅନୁମତି ମିଳିଛି । ଏଥିପାଇଁ ସଂପୃକ୍ତ ରାଜ୍ୟ ସରକାରଙ୍କ ଅନୁମତି ନେଇ ସେଲ ଏହାକୁ ବିକ୍ରି କରିପାରିବ ବୋଲି ଖଣି ବିଭାଗ ପକ୍ଷରୁ କୁହାଯାଇଛି ।
ସୂଚନା ଅନୁଯାୟୀ, ଏମ୍ଏମ୍ଡିଆର୍ ଆକ୍ଟ୍ ୧୯୫୭ ଅନୁସାରେ ୩୧.୦୩.୨୦୨୦ ସୁଦ୍ଧା ୩୧ଟି କାର୍ଯ୍ୟକ୍ଷମ ଖଣିର ଲିଜ୍ ଅବଧି ଶେଷ ହେବ । ଏହି ଅବଧି ଶେଷ ହେବା ପରେ ବଜାରରେ ୬୦ ନିୟୁତ ଟନ୍ ଲୁହା ପଥର କମ୍ ପଡିବ । ଶ୍ରୀ ପ୍ରଧାନ କହିଛନ୍ତି ଭାରତୀୟ ଇସ୍ପାତ ଶିଳ୍ପର କଞ୍ଚାମାଲ ଆବଶ୍ୟକତା ପୂରଣ କରିବା ସରକାରଙ୍କର ପ୍ରାଥମିକତା । ଖଣି ମନ୍ତ୍ରଣାଳୟର ଏହି ନିଷ୍ପତ୍ତି କଞ୍ଚାମାଲ ଆବଶ୍ୟକତା ପୂରଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ ବୋଲି ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଛନ୍ତି ।