ପୁରୀ ମଡେଲ ଦେଖି ରାଜ୍ୟ ସରକାରଙ୍କ ପ୍ରଶଂସାରେ ସତମୁଖ ହେଲେ ଆମିକସ୍ କ୍ୟୁରି

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପୁରୀକୁ ବିଶ୍ୱ ଐତିହ୍ୟରେ ସ୍ଥାନିତ କରିବାକୁ ରାଜ୍ୟ ସରକାରଙ୍କ ପ୍ରଚେଷ୍ଟାକୁ ଖୁବ ପ୍ରଶଂସା କରିଛନ୍ତି ଆମିକସ୍ କ୍ୟୁରି ରଞ୍ଜିତ କୁମାର । ରଞ୍ଜିତ କୁମାର ଆଜି ପୁରୀରେ ପହଞ୍ଚି ଜଗନ୍ନାଥଙ୍କ ଦର୍ଶନ ପରେ ପୁରୀର ଉଚ୍ଛେଦ କାର୍ଯ୍ୟ ବୁଲି ଦେଖିଥିଲେ । ଏହାପରେ ସ୍ଥାନୀୟ ଦୋକାନୀ ଓ ବ୍ୟବସାୟୀଙ୍କ ସହ ସେ ସାକ୍ଷାତ କରି ଆଲୋଚନା କରିଥିଲେ । ସରକାରଙ୍କ ଜବରଦଖଲ ଉଚ୍ଛେଦ ଅଭିଯାନ ଦ୍ୱାରା ସମ୍ଭାବ୍ୟ ଅସୁବିଧା ସଂକ୍ରାନ୍ତରେ ସେ ପଚାରି ବୁଝିଥିଲେ । ତେବେ ଆଲୋଚନା ପରେ ଆମିକସ୍ କ୍ୟୁରି ସରକାରଙ୍କ ପ୍ରତ୍ୟେକ କାର୍ଯ୍ୟକୁ ନେଇ ସନ୍ତୋଷ ବ୍ୟକ୍ତ କରିଛନ୍ତି । ପୁରୀ ସହରର ସର୍ବାଙ୍ଗିନ ବିକାଶ କରି ଏହାକୁ ବିଶ୍ୱ ଐତିହ୍ୟ ଭାବେ ଗଢ଼ିତୋଳିବା ନିମନ୍ତେ ରାଜ୍ୟ ସରକାର ସମୁଚିତ ପଦକ୍ଷେପ ନେଇଥିବା ସେ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, ଏହି ଉଛେଦ ଦ୍ୱାରା କାହାର କିଛି କ୍ଷତି ହେବନାହିଁ, ବରଂ ଲାଭ ହିଁ ଲାଭ ହେବ।
ସେହିପରି ଆଗକୁ ହେବାକୁ ଥିବା ଜଗନ୍ନାଥ ଙ୍କ ନାଗାର୍ଜୁନ ବେଶ ପାଇଁ ୧୫ ଲକ୍ଷ ଭକ୍ତ ଆସିବେ । ମନ୍ଦିରର ସୁରକ୍ଷା ସହ ସମସ୍ତଙ୍କ ସୁରକ୍ଷା ଓ ପୁରୀର ବିକାଶ ନିମନ୍ତେ ସରକାରଙ୍କ ପ୍ରତିଟି କାର୍ଯ୍ୟ ପ୍ରଶଂସନୀୟ ବୋଲି ଆମିକସ୍ କ୍ୟୁରି ରଞ୍ଜିତ କୁମାର କହିଛନ୍ତି । ରାଜ୍ୟ ସରକାରଙ୍କ ଦ୍ୱାରା ପୁରୀରେ ଚାଲିଥିବା ମେଘନାଦ ପାଚେରିରୁ ୭୫ ମିଟର ଦୂରତାରେ ଜବରଦଖଲ ଅଭିଯାନର ସମୀକ୍ଷା କଲି ଏବଂ ସ୍ଥାନାନ୍ତରିତ ବାସିନ୍ଦା ଓ ବ୍ୟବସାୟୀଙ୍କ ସହିତ ସାକ୍ଷାତ୍ କରି ଆଲୋଚନା ମଧ୍ୟ କଲି । ସରକାର ବାସ୍ତବରେ ଭବିଷ୍ୟତକୁ ଦୃଷ୍ଟିରେ ରଖି ଏଭଳି ଐତିହାସିକ ନିଷ୍ପତ୍ତି ନେଇଛନ୍ତି । ଏହାଦ୍ୱାରା ପୁରୀ ସହରବାସୀ, ପୁରୀକୁ ଆସୁଥିବା ତମାମ ପର୍ଯ୍ୟଟକ, ପୂଜକ ଓ ଭକ୍ତଙ୍କର ମଙ୍ଗଳ ହେବ। ସମସ୍ତେ ଆନନ୍ଦରେ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବାକୁ ସୁଯୋଗ ପାଇବେ।
ପୁରୀ ସହର ପରିଷ୍କାର ଓ ପରିଚ୍ଛନ୍ନ ହେବା ଦ୍ୱାରା ଏବଂ ଅଧିକ ସୁରକ୍ଷିତ ହେବା ଦ୍ୱାରା ଅଧିକରୁ ଅଧିକ ଲୋକଙ୍କ ଆଗମନ ହେବ। ଶ୍ରୀଜଗନ୍ନାଥଙ୍କ ନାଗାର୍ଜୁନ ବେଶ ଦେଖିବାକୁ ପ୍ରାୟ ୧୫ ଲକ୍ଷ ଭକ୍ତଙ୍କ ସମାଗମ ହେବ। ତେଣୁ ସରକାରଙ୍କ ଏ ପଦକ୍ଷେପ ଭକ୍ତମାନଙ୍କ ପାଇଁ ଅନେକ ଦୃଷ୍ଟିରୁ ବହୁତ ମଙ୍ଗଳଦାୟୀ ହେବ। ସମସ୍ତେ ଆରାମରେ ପୁରୀକୁ ଆସିପାରିବେ। ବାହାରୁ ଆସୁଥିବା ପର୍ଯ୍ୟଟକ ଓ ଶ୍ରଦ୍ଧାଳୁ ବାରମ୍ୱାର ଆସିବାକୁ ଆଗ୍ରହ ଦେଖାଇବେ।
ସରକାର ଯେଉଁଭଳି ଭାବେ ପୁରୀ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟାକୁ ଅନୁମତି ଦେଇଛନ୍ତି, ସେଥିରେ କୌଣସି ଅସୁବିଧା ନାହିଁ। ତା’ଛଡ଼ା ଉଚ୍ଛେଦ ଅଭିଯାନରେ କାହାକୁ ଜବରଦସ୍ତି କରାଯାଇ ନାହିଁ। ସମସ୍ତଙ୍କ ସହ ଠୋସ ଆଲୋଚନା ପରେ ଏବଂ ଉପଯୁକ୍ତ କ୍ଷତିପୂରଣ ବ୍ୟବସ୍ଥା କରାଯାଇ ଏହି ବଡ଼ ପଦକ୍ଷେପ ନିଆଯାଇଛି। ଆଗକୁ ଏହାର ସୁଫଳ ସମସ୍ତେ ପାଇବେ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ଆମିକସ୍ କ୍ୟୁରି ରଞ୍ଜିତ୍ କୁମାର।