୫ ତାରିଖରେ ବିଜେଡି କରିବ ବଡ ଘୋଷଣା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆସନ୍ତା ୫ ତାରିଖରେ ବିଭିନ୍ନ ପଦପଦବୀ ପାଇଁ ନେତାଙ୍କ ନାମ ଘୋଷଣା କରିବ ବିଜେଡି । ସାଙ୍ଗଠନିକ ସ୍ତରରେ ଦଳକୁ ମଜଭୁତ କରିବାକୁ ଆରମ୍ଭ ହେଲା ପ୍ରୟାସ । ଏହି ପଦପଦବୀ ପାଇଁ ନିର୍ବାଚନରେ ହାରିଯାଇଥିବା ବିଜେଡିର ବରିଷ୍ଠ ନେତାଙ୍କୁ ସର୍ଵ ପ୍ରଥମେ ସୁଯୋଗ ମିଳିବ । କିଛିଦିନ ପୂର୍ବରୁ ସାଇ ଇଣ୍ଟରନେସନାଲ ସ୍କୁଲ ମାଲିକ ବିଜୟ କୁମାର ସାହୁଙ୍କୁ ଆଦର୍ଶ ବିଦ୍ୟାଳୟ ଉପଦେଷ୍ଟା ନିୟୋଜିତ କରାଯିବା ପରେ ବିଜେଡି ଦଳ ମଧ୍ୟ ଅସନ୍ତୋଷ ପ୍ରକାଶ ପାଇଥିଲା । ଏପରିକି ଏହାକୁ ନେଇ କିଛି ଆଗଧାଡ଼ିର ନେତା ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଥିଲେ । ଦଳ ପାଇଁ ଦୀର୍ଘ ଦିନ ଧରି କାର୍ଯ୍ୟ କରି ଆସୁଥିବା ନେତା ଆଶା ବାନ୍ଧି ବସିଥିବା ବେଳେ ଦଳ ବାହାର ବ୍ୟକ୍ତିଙ୍କୁ କାହିଁକି ମନ୍ତ୍ରୀ ସମତୁଲ ପାହ୍ୟା ଦିଆଗଲା ବୋଲି ଅଭିଯୋଗ କରିଥିଲେ। ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଓ ତୃତୀୟ ମହଲା ଦଳ ପାଇଁ କାର୍ଯ୍ୟ କରିଆସୁଥିବା ନେତା ଯେଉଁମାନେ କି ନିର୍ବାଚନରେ ପରାସ୍ତ ହୋଇଛନ୍ତି ସେମାନଙ୍କୁ ଗୁରୁତ୍ୱ ଦେବା ଆରମ୍ଭ କରିଛନ୍ତି ।

ସୂଚନା ଅନୁଯାୟୀ, ବିଜେଡିର କିଛି ଆଗଧାଡ଼ିର ନେତା ଯେକି ୨୦୧୯ ସାଧାରଣ ନିର୍ବାଚନରେ ପରାଜିତ ହୋଇଛନ୍ତି ସେମାନଙ୍କ ଥଇଥାନ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି । ଚୟନ ସରିଛି କେବଳ ବାକିଅଛି ଘୋଷଣା । ଯାହାକି ଆସନ୍ତା ୫ତାରିଖରେ ହେବାର କାର୍ଯ୍ୟକ୍ରମ ରହିଛି । ଏହି ଥଇଥାନର ପ୍ରଥମ ୧୦ଟି ସ୍ଥାନ ବିଜେଡି ଦଳ ପାଇଁ କାର୍ଯ୍ୟ କରି ଆସୁଥିବା ପୁରୁଖା ନେତାଙ୍କୁ ଦିଆଯିବ । ପରେ ଅନ୍ୟଦଳରୁ ଆସି ବିଜେଡ଼ିରେ ଯୋଗଦେଇଥିବା ନେତାଙ୍କୁ ଥଇଥାନ କରାଯିବ । ଏଥିରେ ଅଧ୍ୟକ୍ଷ ପଦ ସହ ଅନେକ ଲାଭକାରୀ ସଂସ୍ଥା ଓ ନିଗମର ଦାୟିତ୍ୱ ଦିଆଯିବା କାର୍ଯ୍ୟକ୍ରମ ରହିଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି ।

Leave a comment