ସର୍ଟସର୍କିଟ୍ କାରଣରୁ ଆମ ବସରେ ଲାଗିଲା ନିଆଁ
ଭୁବନେଶ୍ୱର: ଆଜି ସକାଳ ପ୍ରାୟ ୧୧:୨୦ ସମୟରେ ଖୋର୍ଦ୍ଧାର ଗଡା ନିକଟରେ ରୁଟ୍-୪୮ରେ OD-33-U-7343 ନମ୍ବର ଆମ ବସ୍ ଅଗ୍ନିକାଣ୍ଡର ଶିକାର ହୋଇଥିଲା। କର୍ମଚାରୀମାନେ ତୁରନ୍ତ ଇଞ୍ଜିନ୍ କମ୍ପାର୍ଟମେଣ୍ଟରୁ ଧୂଆଁ ବାହାରୁଥିବା ଦେଖି ବସ୍ରେ ଲାଗିଥିବା ଅଗ୍ନି ନିର୍ବାପକ ଯନ୍ତ୍ର ବ୍ୟବହାର କରିଥିଲେ । ଏଥିସହ ସମସ୍ତ ୪୧ ଜଣ ଯାତ୍ରୀଙ୍କୁ ସୁରକ୍ଷିତ ଭାବରେ ବାହାରକୁ ଆସିଥିଲେ । ପରେ, ଅଗ୍ନିଶମ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ।
ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ମୁଖ୍ୟ କେବୁଲରେ ବିଦ୍ୟୁତ୍ ସର୍ଟସର୍କିଟ୍ କାରଣରୁ ଏହି ଅଗ୍ନିକାଣ୍ଡ ଘଟିଛି । ଆଗ ବାମ ଟାୟାରରେ ନିଆଁ ପହଞ୍ଚି ଡିଜେଲ୍ ଲାଇନକୁ ପ୍ରଭାବିତ କରିଥିଲା। କର୍ମଚାରୀମାନେ ନିଆଁ ଲିଭାଇବା ପାଇଁ ତୁରନ୍ତ ଚେଷ୍ଟା କରିବା ସତ୍ତ୍ୱେ ତୁରନ୍ତ ନିଆଁ ଲିଭାଯାଇ ପାରିଲା ନଥିଲା । ଯାହା ଫଳରେ ଗାଡ଼ିର ବ୍ୟାପକ କ୍ଷତି ହୋଇଛି।
ଏନେଇ ଏକ ପ୍ରେସ୍ ରିଲିଜ୍ ଜାରି କରାଯାଇଛି । ଯେଉଁଥିରେ ସମ୍ପୃକ୍ତ ଅପରେଟରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି ଏବଂ ସମସ୍ତ ବସ୍ର ତୁରନ୍ତ ଫିଟନେସ୍ ସୁନିଶ୍ଚିତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହା ସହିତ, ଓଡ଼ିଶା ପରିବହନ କମିଶନରଙ୍କ କାର୍ଯ୍ୟାଳୟକୁ ସ୍ଥାନୀୟ ମୋଟର ଯାନ ନିରୀକ୍ଷକ (MVI)ଙ୍କୁ ପୁଙ୍ଖାନୁପୁଙ୍ଖ ଯାଞ୍ଚ କରିବା ଏବଂ ବିଶେଷଜ୍ଞ ମତାମତ ଦେବା ପାଇଁ ନିଯୁକ୍ତ କରିବାକୁ ଅନୁରୋଧ କରାଯାଇଛି।