ମହତାବଙ୍କ ଜୀବନୀ ଉପରେ ବାୟୋପିକ୍ ନିର୍ମାଣ କରାଯିବ

0

ଭୁବନେଶ୍ୱର: ଓଡ଼ିଶାର ସାମାଜିକ, ରାଜନୈତିକ ଏବଂ ଅର୍ଥନୈତିକ ଇତିହାସରେ ଉତ୍କଳ କେଶରୀ ଡଃ ହରେକୃଷ୍ଣ ମହତାବଙ୍କ ଜୀବନ ଓ କୃତିତ୍ବ ଏକ ତାତ୍ପର୍ଯ୍ୟପୂର୍ଣ୍ଣ ଅଧ୍ୟାୟ। ସେ ଥିଲେ ଆଧୁନିକ ଓଡ଼ିଶା ନିର୍ମାଣର ବିଶ୍ବକର୍ମା। ଡଃ ମହତାବଙ୍କ ବିନା ଆଧୁନିକ ଓଡ଼ିଶାର କଳ୍ପନା କରାଯାଇ ନପାରେ ବୋଲି ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ବର ଠାରେ ଡଃ ହରେକୃଷ୍ଣ ମହତାବଙ୍କ ୧୨୫ତମ ଜନ୍ମ ବାର୍ଷିକୀ ସ୍ମରଣତ୍ସୋବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଛନ୍ତି।

ସୂଚନା ଯୋଗ୍ୟ, ଏହି ସ୍ମରଣତ୍ସୋବର ପ୍ରଥମ ଦିନରେ ନୂଆ ଦିଲ୍ଲୀରେ ଆୟୋଜିତ ହୋଇଥିବା ଜାତୀୟ ସ୍ତରର କାର୍ଯ୍ୟକ୍ରମକୁ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଉଦ୍‌ଘାଟନ କରିଥିଲେ ଏବଂ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ, କଟକ ସାଂସଦ ଶ୍ରୀ ଭର୍ତ୍ତୃହରି ମହତାବ ପ୍ରମୁଖ ଯୋଗଦେଇଥିଲେ।

ରାଜ୍ୟ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ ଡଃ ମହତାବଙ୍କୁ ଏକାଧାରରେ ଜଣେ ସ୍ବାଧୀନତା ସଂଗ୍ରାମୀ, ରାଜନୀତିଜ୍ଞ, ସାହିତ୍ୟିକ, ସାମ୍ବାଦିକ, ଐତିହାସିକ, କୂଟନୀତିଜ୍ଞ ଓ ଲୋକପ୍ରିୟ ରାଜନେତା ଭାବେ ବିବେଚନା କରାଯାଇଥାଏ। ୧୯୨୧ ରେଭେନ୍ସା ମହାବିଦ୍ୟାଳୟରେ ପଢୁଥିବା ସମୟରେ ମହାତ୍ମା ଗାନ୍ଧୀଙ୍କ ଡାକରାରେ ପାଠ ପଢା ଛାଡି ସେ ସ୍ବାଧୀନତା ଆନ୍ଦୋଳନରେ ଯୋଗଦେଇଥିଲେ। ମହାତ୍ମା ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଡଃ ମହତାବ ଓଡିଶାରେ ସ୍ବାଧୀନତା ଆନ୍ଦୋଳନର ନେତୃତ୍ବ ନେଇ ଜନମାନସରେ ଏକ ନୂତନ କ୍ରାନ୍ତି ଆଣିଥିଲେ। ଭାରତର ସ୍ବାଧୀନତା ସଂଗ୍ରାମଠାରୁ ଆରମ୍ଭ କରି ଓଡିଶାରେ ରାଜନୈତିକ ଓ ସାମାଜିକ ଉତ୍‌ଥାନ ପର୍ଯ୍ୟନ୍ତ ପ୍ରତ୍ୟେକ କ୍ଷେତ୍ରରେ ତାଙ୍କର ଅବଦାନ ଥିଲା ଅତୁଳନୀୟ। ଗାନ୍ଧିଜୀଙ୍କ ଆଦର୍ଶରେ ପରିଚାଳିତ ହୋଇ ଓଡିଶାରେ ଅସହଯୋଗ ଆନ୍ଦୋଳନ, ଲବଣ ସତ୍ୟାଗ୍ରହ, ଭାରତ ଛାଡ ଆନ୍ଦୋଳନ ସବୁଥିରେ ତାଙ୍କର ପ୍ରମୁଖ ଭୂମିକା ରଖିଥିଲେ। ଏଥିପାଇଁ ୧୯୨୧ ରୁ ୧୯୪୬ ମଧ୍ୟରେ ସେ ଅନେକବାର କାରାଗାର ଭୋଗ କରିଥିଲେ। ଓଡିଶାର ଗଡଜାତ ଆନ୍ଦୋଳନରେ ମଧ୍ୟ ତାଙ୍କର ମୁଖ୍ୟ ଭୂମିକା ରହିଥିଲା।

ସେ ପୁଣି କହିଥିଲେ ଦେଶ ସ୍ବାଧୀନ ହେବା ପୂର୍ବରୁ ୧୯୪୬ ମସିହା ଅପ୍ରେଲ ୨୩ ତାରିଖରେ ପ୍ରଧାନମନ୍ତ୍ରୀ ଭାବେ ଓଡିଶାର ଶାସନ ଭାର ଗ୍ରହଣ କରି ଏକ ଅବହେଳିତ ପଛୁଆ ରାଜ୍ୟକୁ ସେ ଉନ୍ନତି ପଥରେ ଆଗେଇ ନେଇଥିଲେ। ଓଡିଶାକୁ ଆଗେଇ ନେବା ପାଇଁ ସେ ତିନୋଟି କାର୍ଯ୍ୟକ୍ରମ ଉପରେ ଗୁରୁତ୍ବ ଦେଉଥିଲେ। ପ୍ରଥମଟି ହେଲା ଦେଶୀୟ ରାଜ୍ୟ ମିଶ୍ରଣରେ ବୃହତ୍ତର ଓଡିଶା ଗଠନ, ଦ୍ବିତୀୟ ଥିଲା ଓଡିଶାକୁ ସମୃଦ୍ଧ କରିବା ପାଇଁ ହୀରାକୁଦରେ ନଦୀବନ୍ଧ ବାନ୍ଧି ମହାନଦୀରେ ବନ୍ୟା ନିୟନ୍ତ୍ରଣ ଓ ବିଦ୍ୟୁତ ଉତ୍ପାଦନ ମାଧ୍ୟମରେ ଶିଳ୍ପ ପ୍ରତିଷ୍ଠା ଏବଂ ତୃତୀୟ ଥିଲା ଭୁବନେଶ୍ବରରେ ରାଜଧାନୀ ନିର୍ମାଣ। ଡଃ ମହତାବ ଥିଲେ ଓଡିଶାର ଶେଷ ପ୍ରଧାନମନ୍ତ୍ରୀ ଓ ପ୍ରଥମ ମୁଖ୍ୟମନ୍ତ୍ରୀ। ସେ ଥିଲେ ଓଡିଶାର ଏକ ବହୁମୁଖୀ ସ୍ବୟଂ ସମ୍ପୂର୍ଣ୍ଣ ଅନୁଷ୍ଠାନ। ଓଡିଶାର ଯେଉଁ ଶୌଧ ଅଥବା ପ୍ରତିଷ୍ଠାନ ଉପରେ ଧ୍ୟାନକେନ୍ଦ୍ରୀତ କଲେ ସେଠାରେ ଡଃ ମହତାବଙ୍କ ସ୍ବାକ୍ଷର ମିଳିବ। ପୂର୍ବରୁ ତାଙ୍କ କୀର୍ତ୍ତି ସବୁକୁ ଉହ୍ୟ ରଖାଯାଇଥିଲା। ହୀରାକୁଦ ବନ୍ଧ, ରାଜଧାନୀ ପ୍ରତିଷ୍ଠା, ରାଜଭବନ ନିର୍ମାଣ, ଓଡିଶା ସାହିତ୍ୟ ଏକାଡେମୀ, ଓଡିଶା ରାଜ୍ୟ ସଂଗ୍ରହାଳୟ, ରାଜ୍ୟ ଲଳୀତ କଳା ଏକାଡେମୀ, ଭଞ୍ଜ କଳା ମଣ୍ଡପ, ରବୀନ୍ଦ୍ର ମଣ୍ଡପ, କଟକ ରେଡିଓ ଷ୍ଟେସନ, ହାଇକୋର୍ଟ, ନନ୍ଦନ କାନନ, ବିଦ୍ୟାଧରପୁର ଧାନ ଗବେଷଣା କେନ୍ଦ୍ର, ଓଡିଶା ପବ୍ଲିକ ସର୍ଭିସ କମିଶନ ହେଉଛି କେତେକ ପ୍ରମୁଖ ଅବଦାନ ଯାହା ତାଙ୍କୁ ଚୀର ସ୍ମରଣୀୟ କରି ରଖିବ।
ନୂଆ ସରକାର ଆସିବା ପରେ ଆଧୁନିକ ଓଡିଶାର ନିର୍ମାତା ତଥା ବହୁମୁଖୀ ପ୍ରତିଭାଧାରୀଙ୍କୁ ଯଥୋଚିତ ସମ୍ମାନ ଦେବା ପାଇଁ ଓଡିଆ ଜାତିକୁ ପ୍ରସ୍ତୁତ କରିଛି। ବିଗତ ବହୁବର୍ଷ ଧରି ଓଡିଶା କେବଳ ଗୋଟିଏ ପରିବାରର ଅବଦାନ ପାଇଁ ତାଙ୍କୁ ସମ୍ମାନିତ କରିଆସୁଥିଲା। ଆମ ଯଶସ୍ବୀ ପ୍ରଧାନମନ୍ତ୍ରୀ ଦେଶ ଓ ଜାତି ଗଠନରେ ପ୍ରମୁଖ ଅବଦାନ ରଖିଥିବା ସମସ୍ତ ବରପୁତ୍ରଙ୍କୁ ଉଚିତ୍ ସମ୍ମାନ ଦେବା ପାଇଁ ଏହି ଧାରାରେ ପରିବର୍ତ୍ତନ ଆଣିଛନ୍ତି। ଜଣଙ୍କୁ ମହାନ କରିବା ପାଇଁ ଅନ୍ୟମାନଙ୍କୁ ହତାଦାର କରିବା କେବେ ହେଲେ ଏକ ସୁସ୍ଥ ପରମ୍ପରା ନୁହେଁ। ଏହି କ୍ରମରେ ଆଧୁନିକ ଓଡିଶାର ମଙ୍ଗୁଆଳ ଡଃ ମହତାବଙ୍କ ୧୨୫ ତମ ଜୟନ୍ତୀର ଏକ ବର୍ଷ ବ୍ୟାପୀ ଜାତୀୟ ସ୍ତରର ଉତ୍ସବ ପାଳନ ଏକ ଉପଯୁକ୍ତ ପଦକ୍ଷେପ। ଏଥିପାଇଁ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ଗୃହ ମନ୍ତ୍ରୀ ଶ୍ରୀ ଅମିତ ଶାହାଙ୍କ ନିକଟରେ କୃତଜ୍ଞତା ପ୍ରକାଶ କରିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ନୂଆ ସରକାର ଆସିବା ପରେ ଇତିହାସ ପୃଷ୍ଠାରେ ଅଲୋଡା, ଅନାମଧେୟ ହୋଇ ରହିଥିବା ମାଧୋ ସିଂହଙ୍କୁ ଉଚିତ୍ ସମ୍ମାନ ଦେଇ ତାଙ୍କ ନାମରେ ଏକ ଛାତ୍ରବୃତ୍ତି ଯୋଜନା ଏବଂ ଅନ୍ୟତମ ବରପୁତ୍ର ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ନାମରେ ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ ଯୋଜନା ଆରମ୍ଭ କରିଛୁ। ଇତିହାସ ପୃଷ୍ଠାରେ ଏହି ଅନାଲୋଚିତ ଥିବା ଏହି ବରପୁତ୍ର ମାନଙ୍କର କୃତିକୁ ଲୋକଲୋଚନକୁ ଆଣିବା ପାଇଁ ରାଜ୍ୟ ସରକାର ଯଥା ସମ୍ଭବ ଉଦ୍ୟମ କରିବେ।

Leave a comment