ଓଡ଼ିଶାରେ ଡବଲ ଇଞ୍ଜିନ୍‌ ସରକାର ଗଢ଼ିବାକୁ କରଞ୍ଜିଆରେ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂଙ୍କ ଆହ୍ବାନ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କେନ୍ଦୁଝର ଲୋକସଭା ଅଧୀନ କରଞ୍ଜିଆ ବିଧାନସଭା ଆସନ ପାଇଁ ଆସନ୍ତା ୨୩ ତାରିଖରେ ନିର୍ବଚନ ଅନୁଷ୍ଠିତ ହେବ । ଏଥିପାଇଁ ପ୍ରମୁଖ ରାଜନୈତିକ ଦଳ କଂଗ୍ରେସ, ବିଜେପି ଓ ବିଜେଡି ଏହି ଆସନକୁ ହାତେଇବା ପାଇଁ ଜୋରଦାର ପ୍ରଚାର ଚଳାଇଛନ୍ତି । ଏହି ପରପ୍ରେକ୍ଷୀରେ କରଞ୍ଜିଆ ଗୋଲେଇ କେନାଲ ପଡିଆଠାରେ ଆଜି ବିଜେପି ପକ୍ଷରୁ ଆୟୋଜିତ ବିଜୟ ସଂକଳ୍ପ ସଭାରେ କେନ୍ଦ୍ର ଗୃହ ମନ୍ତ୍ରୀ ରାଜନାଥ ସିଂ ଯୋଗଦେଇ ବିଜେପି ପ୍ରାର୍ଥୀଙ୍କୁ ସମର୍ଥନ ଦେବାକୁ ଜନସାଧାରଣଙ୍କୁ ନିବେଦନ କରିଥିଲେ।

ସଭାରେ ରାଜନାଥ କହିଥିଲେ, କେନ୍ଦ୍ରରେ ବିଜେପି ସରକାର ଆସିଲେ ଓଡିଶାର ସଂସ୍କୃତି, ସଭ୍ୟତାର ବିକାଶ କରାଯିବା ସହିତ ଏଠାକାର ଛଉ ନୃତ୍ୟର ବିକାଶ ଦିଗରେ ପଦକ୍ଷେପ ନିଆଯିବ । ବିଜେପି ସରକାର ଗରିବଙ୍କ ପାଇଁ ସବୁବେଳେ ସମର୍ପିତ । ଏଥର ବିଜେପି ସରକାର ଗଢ଼ିଳେ ୬୦ ବର୍ଷରୁ ଊର୍ଦ୍ଧ୍ୱ ବୟସର ଚାଷୀଙ୍କୁ ମାସିକ ୩ ହଜାର ଟଙ୍କା ଲେଖାଏଁ ପେନସନ ପ୍ରଦାନ କରାଯିବ ବୋଲି ରାଜନାଥ କହିଥିଲେ । ଏଥିସହ ସେ କହିଥିଲେ, ଫୁଲୱାମା ଆକ୍ରମଣ ପରେ ଭାରତୀୟ ବାସୁସେନାର ଜବାନମାନେ ପାକିସ୍ତାନ ସୀମା ଭିତରେ ପଶି ଆତଙ୍କବାଦୀଙ୍କୁ ନିପାତ କରିଥିଲେ । ଏହା ମଜବୁତ ସରକାର ପାଇଁ ସମ୍ଭବ ହୋଇପାରିଛି । ତେଣୁ ରାଜ୍ୟରେ ମଧ୍ୟ ସ୍ଥାଣୁ ସରକାର ହଟାଇ ଡବଲ ଇଞ୍ଜିନ ସରକାର ଗଢ଼ିବା ପାଇଁ କେନ୍ଦୁଝର ଏମ୍‌ପି ପ୍ରାର୍ଥୀ ଅନନ୍ତ ନାୟକ ଓ କରଞ୍ଜିଆ ବିଧାୟକ ପ୍ରାର୍ଥୀ ପଦ୍ମଚରଣ ହାଇବୁରୁଙ୍କୁ ଭୋଟ ଦେଇ ବିଜୟୀ କରିବାକୁ ସେ ଜନସାଧାରଣଙ୍କୁ ନିବେଦନ କରିଥିଲେ ।

Leave a comment